ଆତ୍ମନିର୍ଭର ଭାରତ ସମ୍ଭବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିନୋବା ସେବା ପ୍ରତିଷ୍ଠାନ ଓ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନ, ନୂଆଦିଲ୍ଲୀ ପକ୍ଷରୁ ଭୁବନେଶ୍ୱର ରୋଟାରୀ ଭବନଠାରେ ଭୂଦାନ ଆନ୍ଦୋଳନର ପୁରୋଧା ଭାରତରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୪୦ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ପାଳନ ଅବସରରେ ‘ଭୂଦାନ ଆନ୍ଦୋଳନ ଓ ଆତ୍ମନିର୍ଭର ଭାରତ’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବିନୋବା ସେବା ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ଭାରତ ନିର୍ବାଚନ ଆୟୋଗର ପ୍ରାକ୍ତନ ଉପଦେଷ୍ଟା ଡ. ଭଗବାନ ପ୍ରକାଶ ଅଧ୍ୟକ୍ଷତା କରିଥିଲେ । ବିନୋବା ଭାବେ ମହାଭାରତ ପିତାମହ ଭୀଷ୍ମଙ୍କ ପରେ ଇଚ୍ଛା ଅନୁସାରେ ମୃତ୍ୟୁବରଣ କରିଥିଲେ । ଗାନ୍ଧୀଙ୍କ ମୃତ୍ୟୁ ପରେ ତାଙ୍କ ବିଚାରକୁ କାର୍ଯ୍ୟକାରୀ କରିବାକୁ ବିନୋବା ଭାବେ ଗାନ୍ଧିବାଦୀଙ୍କୁ ନେଇ ସର୍ବୋଦୟ ସମାଜ ପ୍ରତିଷ୍ଠା କରିଥିଲେ । ଗାନ୍ଧୀ ଓ ବିନୋବା ଭାବେଙ୍କ ଆଦର୍ଶ ଓ ବିଚାର ପ୍ରତି ଆଜିର ଯୁବ ସମାଜ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଲୋକସେବକ ମଣ୍ଡଳ, ନୂଆଦିଲ୍ଲୀର ପୂର୍ବତନ ଅଧ୍ୟକ୍ଷ ଦୀପକ ମାଲବ୍ୟ ଯୋଗଦେଇ କହିଥିଲେ ଯେ, ବିନୋବାଜୀଙ୍କ ଭୂଦାନ ଆନ୍ଦୋଳନ ଏକ ଅହିଂସକ ସମୃଦ୍ଧ ସମାଜ ଗଢିବାରେ ସହାୟକ ହୋଇଥିଲା । ସରକାର କ୍ଷମତା ମୋହରେ ନରହି ଅନ୍ନଦାତା କୃଷକଙ୍କ ଆନ୍ଦୋଳନ ପ୍ରତି ସମବେଦନା ସହ ସମସ୍ୟାର ନିରାକରଣ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ସର୍ବୋଦୟ ନେତ୍ରୀ ତଥା ହରିଜନ ସେବକ ସଂଘର ରାଜ୍ୟ ଅଧ୍ୟକ୍ଷା ବିରଜା ଦେବୀ ବିନୋବାଜୀଙ୍କ ଭୂଦାନ ଯଜ୍ଞ, ବଂଚିତତ ଓ ଶୋଷିତବର୍ଗଙ୍କୁ ମୁଖ୍ୟସ୍ରୋତରେ ଆଣିବାକୁ ସହାୟକ ହୋଇଥିଲା ବୋଲି କହିଥିଲେ । ବିଶିଷ୍ଟ ମାନବାଧିକାର ପ୍ରବକ୍ତା ଓ ବିନୋବା ସେବା ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ମନୋଜ ଜେନା ସଭାକୁ ସଞ୍ଚାଳନ କରିବା ସହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବିସ୍ତୃତ ବିବରଣୀ ସହ ବିନୋବାଜୀଙ୍କ ଭୂଦାନ ଆନ୍ଦୋଳନର ଲକ୍ଷ୍ୟ ଏବେବି ଅଧୁରା ରହିଛି ବୋଲି କହିଥିଲେ । ଗାନ୍ଧୀ ଓଡ଼ିଶାର ଆବାହିକା ତଥା ପରିବେଶବିତ୍ ଡ. ରୀନା ରାଉତରାୟ ଯୁବପିଢୀ ଗାନ୍ଧୀ ଓ ବିନୋବାଙ୍କ ବିଚାରକୁ ଆପଣେଇ ପାରିଲେ ସ୍ୱାବଲମ୍ବନ ସମାଗ ଗଠନ ହୋଇପାରିବ ବୋଲି କହିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସକ ଓ ପୂଣ୍ୟ ଉତ୍କଳର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ଜୟକିରଣ ଟ୍ରଷ୍ଟର ସମ୍ପାଦିକା ସୁମିତ୍ରା ଜେନା, ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ଆବାହକ ମଧୁସୂଦନ ଦାସ, ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ଗାନ୍ଧୀ ଓ ବିନୋବା ବିଚାର ଏକମାତ୍ର ପନ୍ଥା ବୋଲି କହିଥିଲେ । ସଭା ପ୍ରାରମ୍ଭରେ ବିଶିଷ୍ଟ ଗାନ୍ଧିବାଦୀ ସ୍ୱର୍ଗତ ଡ. ଏସ୍‌.ଏନ୍ ସୁବରାଓଜୀଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । ଗାନ୍ଧୀ ବିଚାରକୁ ସମାଜରେ ପ୍ରଚାର ଓ ପ୍ରସାର ସହ ଏକ ଅହିଂସକ ସମାଜ ନିର୍ମାଣରେ ଏକ ନିଆରା ଭୂମିକା ନିର୍ବାହ କରିଥିବା ଲୋକସେବକ ମଣ୍ଡଳର ପ୍ରାକ୍ତନ ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କୁ ‘ଗାନ୍ଧୀ-ବିନୋବା ଶାନ୍ତି ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମର ସଂଯୋଜକ କାଳୀ ଚରଣ ସିଂ ପ୍ରାରମ୍ଭିକ ସ୍ୱାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ