ଆଦର୍ଶ ବିଦ୍ୟାଳୟରେ କନିଷ୍ଠ କିରାଣୀ ସାତବର୍ଷ ପରେ ବି ଠିକାରେ ଅବହେଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ ଇଂରାଜୀ ମାଧ୍ୟମ ଶିକ୍ଷାର ବ୍ୟାପକ ପ୍ରସାର ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ବ୍ଲକ ଅନୁଯାୟୀ ଏପର୍ଯ୍ୟନ୍ତ ୩୨୦ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଏହି ବିଦ୍ୟାଳୟରେ ପ୍ରଶାସନିକ କାର୍ଯ୍ୟ ପାଇଁ ଜଣେ ଲେଖାଏଁ କନିଷ୍ଠ କିରାଣୀ ତଥା ହିସାବରକ୍ଷକ ପଦବୀ ଠିକାରେ ସୃଷ୍ଟି କରାଯାଇ ଥିବାବେଳେ ଭୁବନେଶ୍ୱର ଉତ୍କର୍ଷ ଆଦର୍ଶ ବିଦ୍ୟାଳୟ ପାଇଁ ଦୁଇଟି ୨୦୧୩ ଚୁକ୍ତିଭିତ୍ତିକ ନିୟମ ଓ ସର୍ବମୋଟ ୩୨୧ଟି ପଦବୀ କରାଯାଇଛି । ଏହା ବିଭାଗୀୟ ସଚିବଙ୍କ ସ୍ୱତନ୍ତ୍ର ମାର୍ଗଦର୍ଶିକା କ୍ରମେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଓଡ଼ିଶା ସଂରକ୍ଷଣ ନୀତି-୧୯୭୫କୁ ଭିତ୍ତି କରି ୭୧୦୦/- (ପେ ସ୍କେଲ୍ ୫୨୦୦/- +ଗ୍ରେଡ଼୍ ପେ ୧୯୦୦/-) ଟଙ୍କାରେ ନିଯୁକ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ସରକାର ସପ୍ତମ ବେତନ କମିଶନ ଆଧାରରେ ଅର୍ଥ ବିଭାଗର ସହମତିରେ ୮୮୮୦/- ଟଙ୍କାକୁ ବୃଦ୍ଧି କଲେ । ଏହାପରେ ଉକ୍ତ କର୍ମଚାରୀଙ୍କ କାର୍ଯ୍ୟ ଆବଶ୍ୟକତାକୁ ନଜରରେ ରଖି ଷଷ୍ଠରୁ ଦ୍ୱାଦଶ (ବିଜ୍ଞାନ ଓ ବାଣିଜ୍ୟ) ପାଠ୍ୟକ୍ରମ ଖୋଲିବା ପରେ ଅଧିକ ଆର୍ଥିକ ଅନୁଦାନ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ଉଚ୍ଚସ୍ତରୀୟ ଗଭର୍ଣ୍ଣିଂ ବୋର୍ଡ଼ର ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କନିଷ୍ଠ କିରାଣୀ ତଥା ହିିସାବ ରକ୍ଷକ ନିୟମିତ ନିଷ୍ପତ୍ତି ପାରିତ ହୋଇ ଫାଇଲ୍ ଅର୍ଥ ବିଭାଗର ଅନୁମୋଦନ ପାଇଁ ପଠା ଯାଇଥିଲା । । ଏହି ସମୟ ମଧ୍ୟରେ ବିଭାଗ ତରଫରୁ ବିଭିନ୍ନ ତଥ୍ୟ ମଗାଯାଇ ସମ୍ପୂର୍ଣ୍ଣ କରାଯାଇଛି । ଗତବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ତା ୧୫.୧୧.୨୦୨୨ରିଖରେ ଐତିହାସିକ ନିଷ୍ପତ୍ତି କ୍ରମେ ଓଡ଼ିଶା ମାଟିରୁ ଠିକା ପ୍ରଥା ଉଚ୍ଛେଦ କଲେ ବୋଲି ଘୋଷଣା କଲେ ।
କିନ୍ତୁ ଦୁଃଖ ଓ ପରିତାପର ବିଷୟ କନିଷ୍ଠ କିରାଣୀ ତଥା ହିସାବ ରକ୍ଷକ ମାନେ ୨୦୧୩ ନିୟମ ଅନ୍ତର୍ଭୁକ୍ତ ହୋଇନଥିବାରୁ ସେଥିରୁ ବାଦ୍ ପଡ଼ିଲେ । ଏହାପରେ ଅଲ ଓଡ଼ିଶା କନିଷ୍ଠ କିରାଣୀ ତଥା ହିସାବରକ୍ଷକ ସଂଘ, ଓ.ଏ.ଭି.ଏସ୍ ତରଫରୁ ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ଏକତ୍ରିତ ହୋଇ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଦାବିପତ୍ର ଦିଆଯାଇଥିଲା । ଏହାକୁ ନଜରରେ ରଖି ସରକାରଙ୍କ ତରଫରୁ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା । ଉକ୍ତ ବୈଠକ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ହେଉଛି ଏକ ସାମାଜିକ ଅନୁଷ୍ଠାନ ଓ ଏହାର କର୍ମଚାରୀମାନେ ସରକାରୀ କର୍ମଚାରୀ ଭଳି ସମାନ ହୋଇପାରିବେ ନାହିଁ । ତେଣୁ ନିୟମିତ ପ୍ରସ୍ତାବଟି ଖାରଜ ହୋଇଥିଲା । କିନ୍ତୁ ଓ.ଏ.ଭି.ଏସ୍ ସମସ୍ତ ଶିକ୍ଷକ ପଦବୀ ସ୍ଥାୟୀ ଥିଲାବେଳେ ମହଙ୍ଗା ଭତ୍ତା, ଘରଭଡ଼ା, ଜି.ଆଇ.ଏସ୍, ଏନ୍.ପି.ଏସ୍ ଭଳି ସମସ୍ତ ସୁବିଧା ଅନ୍ୟ ବିଭାଗର ନିୟମିତ କର୍ମଚାରୀ ଭଳି ପାଉଥିବା ବେଳେ ଏକ ଅଣଶିକ୍ଷକ ପଦବୀ ନିୟମିତ ନହେବା କଣ ଏହା ସମ୍ବିଧାନ ବାହାରେ କି ବୋଲି ସଂଘ ତରଫରୁ ପ୍ରଶ୍ନ କରାଯାଇଛି ।ଏଠାରେ ପ୍ରକାଶଥାଉକି, ମନ୍ତ୍ରୀ ମହୋଦୟ ନିୟମିତ ପାଇଁ ଅର୍ଥ ବିଭାଗକୁ ସୁପାରିଶ କରିଥିଲା ବେଳେ ସଚିବ କାହିଁକି ପୁନଃବିଚାର ପାଇଁ ଉଚ୍ଚସ୍ତରୀୟ ବୈଠକ ଡ଼ାକି ବେନିୟମ ଭାବରେ ନିୟମିତ ପ୍ରସ୍ତାବ ଉପରେ ଷଡ଼ଯନ୍ତ୍ର କଲେ ବୋଲି ଜଣେ କନିଷ୍ଠ କିରାଣୀ ତଥା ହିସାବ ରକ୍ଷକ ପ୍ରକାଶ କରିଛନ୍ତି । ଦୀର୍ଘ ସାତବର୍ଷ ବିତଯାଇଥିଲେ ମଧ୍ୟ ୮୮୮୦/- ଟଙ୍କାରେ ଅତି ଦୟନୀୟ, ମାନସିକ ଓ ଆର୍ଥିକ ସଙ୍କଟ ମଧ୍ୟରେ ଛଟପଟ ହେଉଛନ୍ତି । ଏତେ କମ୍ ଦରମାରେ ନିଜ ଘରଠାରୁ ୫୦୦-୭୦୦ କିଲୋମିଟର ଦୂରରେ ଭଡ଼ା ସୂତ୍ରରେ ରହି ଅଳ୍ପ ବେତନରେ କିପରି ବଞ୍ôଚବେ । ଏପରିକି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ୧୩୮୫୫/- ଠାରୁ ବା ଅଣକୁଶଳୀ ଦିନ ମଜୁରିଆ ମଧ୍ୟ କମ୍ ଦରମା କେତେ ଯୁକ୍ତିଯୁକ୍ତ ତାହା ସରକାର ସ୍ୱାଧୀନତାର ୭୫ ବର୍ଷର ସ୍ୱର୍ଣ୍ଣିମ ମୁହୂର୍ତ୍ତରେ ବିଚାର କରିବା ଆବଶ୍ୟକ । ସୂଚନାଯୋଗ୍ୟ ଯେ, ଏବେ ସାରା ରାଜ୍ୟରେ ସର୍ବମୋଟ ୧୬୦ଜଣ କନିଷ୍ଠ କିରାଣୀ ତଥା ହିସାବ ରକ୍ଷକ କାର୍ଯ୍ୟରତ ଥିଲାବେଳେ ୧୬୧ଟି ପଦବୀ ଖାଲି ପଡ଼ିଛି । ୬ଟି ଜିଲ୍ଲା ଯଥାକ୍ରମେ ଭଦ୍ରକ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ପୁରୀ ଓ ମାଲକାନଗିରିରେ ସମ୍ପୂର୍ଣ୍ଣ ଭାବରେ କେହି କିରାଣୀ ନାହାଁନ୍ତି । ଏ ନେଇ ବହୁବାର ଜିଲ୍ଲାପାଳ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ବିଭାଗୀୟ ସଚିବ, ଅର୍ଥ ସଚିବ, ଶିକ୍ଷା ଉପଦେଷ୍ଟା, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ ନକରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଏବେ ନବନିଯୁକ୍ତ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି, ଶାସକ ଦଳର ରାଜ୍ୟ ସଂଗଠନ ସମ୍ପାଦକ ତଥା ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଓ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀଯୁକ୍ତ ଭି.କେ ପାଣ୍ଡିୟାନଙ୍କୁ ଭେଟି ଅନୁରୋଧ କଲା ପରେ ମନ୍ତ୍ରୀସ୍ତରୀୟ କମିଟି ଓ ସମୀକ୍ଷା ବୈଠକରେ ସମାଧାନ ନେଇ ଆଶ୍ୱାସନା ମିଳିଛି । ଯଦି ସରାକର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କନିଷ୍ଠ କିରାଣୀ ତଥା ହିସାବ ରକ୍ଷକଙ୍କୁ ନିୟମିତ ନ କରନ୍ତି, ତେବେ ସଂଘ ବିଦ୍ୟାଳୟରୁ ସମୂହ ଛୁଟି ନେଇ ଆନ୍ଦୋଳନକୁ ଓହ୍ଲାଇବେ, ଲୋୟର ପିଏମ୍ଜିରେ ଧାରଣା ଦେବେ । ଏଥିପାଇଁ ଯଦି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।