କାଳବୈଶାଖୀର ବଜ୍ରପାତ ମିଶା ବର୍ଷାରେ ସାମାନ୍ୟ ପ୍ରଶମିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏଲିମେଣ୍ଟାରୀ ଶିକ୍ଷକମାନଙ୍କୁ ଏଣ୍ଟ୍ରିଲେବୁଲ୍‌ରେ ୨୮୦୦ ଟଙ୍କା ଗ୍ରେଡ୍ ପେ ପ୍ରଦାନ, ୨୦୦୧ ଠାରୁ ନିଯୁକ୍ତ ଶିକ୍ଷା ସହାୟକ / କନିଷ୍ଠ ଶିକ୍ଷକମାନଙ୍କର ଠିକା କାର୍ଯ୍ୟକାଳକୁ ଗଣନା କରି ମୋଡ଼ିଫାଏଡ୍ ଆସୁଏଡ୍ କ୍ୟାରିୟର ପ୍ରୋଗ୍ରେସିଭ୍ ପଲିସି (ଏମ୍‌ଏସିପି) ମାଧ୍ୟମରେ ଦରମାର ଅଭିବୃଦ୍ଧି, ୨୦୧୯ କ୍ୟାଡ଼ର ରୁଲ୍‌ର ଭ୍ରମାତ୍ମକ ପଲିସିକୁ ସଂଶୋଧନ କରି ପ୍ରମୋଶନ ପଦ୍ଧତିକୁ ସରଳୀକରଣ ତଥା ମାଟ୍ରିକ ସିଟି ପଦବୀ ଉଚ୍ଛେଦ, ଉଚ୍ଚଯୋଗ୍ୟତାଧାରୀ ବିଏଡ୍‌, ଏମ୍‌ଏଡ୍ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଭାଗୀୟ ପରୀକ୍ଷା ମାଧ୍ୟମରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉପସ୍ଥାପନା ଏବଂ ଶିକ୍ଷକ ବଦଳରେ ଶିକ୍ଷକ ବଦଳୀ ନୀତି ପ୍ରଚଳନ ଆଦି ୫ ଦଫା ଦାବି ନେଇ ମିଳିତ ପ୍ରାଥମିକ ମହାସଂଘର ରୌଦ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି ।ଗୁରୁବାର ୩ ଘଟିକା ସମୟରେ ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁ ଗର୍ଜନ ଦେଇଛନ୍ତି । ଉକ୍ତ ସମାବେଶରେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ସଭାପତି ଶ୍ରୀଯୁକ୍ତ ନିକୁଞ୍ଜ କିଶୋର ମହାନ୍ତି, ବିଶ୍ୱ ଶିକ୍ଷକ ସଂଗଠନର ସଭାପତି ତଥା ଜେଏଫ୍‌ଏମ୍‌ଇର ଆବାହକ ଡ. ଅମିୟ କୁମାର ମହାନ୍ତି, ରାଜ୍ୟ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅଭୟ କୁମାର ସାହୁ, ବେସରକାରୀ କଲେଜ ଶିକ୍ଷକ ସଂଘର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ବୃନ୍ଦାବନ ମହାପାତ୍ର, ଓଡ଼ିଶା ଏଲିମେଣ୍ଟାରୀ ଶିକ୍ଷକ ସଂଘର ଉପଦେଷ୍ଟା ଶ୍ରୀଯୁକ୍ତ ଧୀରେନ୍ଦ୍ର କୁମାର ଜେଠୀ, ଓଡ଼ିଶା ଏଲିମେଣ୍ଟାରୀ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ଧନଞ୍ଜୟ ନାୟକ ଏବଂ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ ରାଜ୍ୟ ସରକାରଙ୍କର ଏଲିମେଣ୍ଟାରୀ ଶିକ୍ଷା ଓ ଶିକ୍ଷକଙ୍କ ପ୍ରତି କାଳକ୍ଷେପଣ ନୀତିକୁ ସମାଲୋଚନା କରିଛନ୍ତି । ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆବାହକ ତଥା ଓଡ଼ିଶା ଏଲିମେଣ୍ଟାରୀ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରବୀଣ କୁମାର ଦାସ ଏଲିମେଣ୍ଟାରୀ ଶିକ୍ଷକର ନ୍ୟାର୍ଯ୍ୟ ଦାବି ପ୍ରତି ସରକାରଙ୍କର ଚରମ ଅବହେଳା ଏଲିମେଣ୍ଟାରୀ ଶିକ୍ଷକୁ ଦିଗହରା କରାଉଛି ବୋଲି ଅଭିଯୋଗ କରିଛନ୍ତି । ସରକାର ଗୋଟେପଟେ ଗୁଣାତ୍ମକ ଶିକ୍ଷା କଥା କହୁଥିଲା ବେଳେ ଅନ୍ୟ ପଟରେ ଗୁଣାତ୍ମକ ଶିକ୍ଷାର ଭାର ବହନ କରିଥିବା ଏଲିମେଣ୍ଟାରୀ ଶିକ୍ଷକ ଯେଉଁମାନେ ପିଲାଙ୍କୁ ଅବନା ଶିକ୍ଷା ଠାରୁ ଆରମ୍ଭ କରି ଏଲିମେଣ୍ଟାରୀରୁ ଯୋଗ୍ୟତମ କରାଇ ମାଧ୍ୟମିକ ବିଭାଗକୁ ହସ୍ତାନ୍ତର କରିବା ସଙ୍ଗେ ସଙ୍ଗେ ଯାବତୀୟ ସରକାରୀ ଅଣଶୈକ୍ଷିକ କାର୍ଯ୍ୟକ୍ରମକୁ ମଧ୍ୟ ନିଷ୍ଠାର ସହ ତୁଲାଇଥାଏ, ସେମାନଙ୍କ ପ୍ରତି ସରକାରଙ୍କର ହତାଦର ମନୋଭାବକୁ ମହାସଂଘର ସହ ଆବାହକ ସୁବ୍ରତ କୁମାର ବଡ଼ଜେନା ତୀବ୍ର ନିନ୍ଦା କରିଛନ୍ତି । ୨୮ଦିନ ଧାରଣାର ଉତ୍ତରାନ୍ତେ ‘ମାନ୍ୟବର ଗଣଶିକ୍ଷାମନ୍ତ୍ରୀଙ୍କର ଆଶ୍ୱାସନା ଓ ସହୃଦୟତାର ସହ ଏଲିମେଣ୍ଟାରୀ ଶିକ୍ଷକମାନଙ୍କର ଦାବିଗୁଡ଼ିକୁ ବିଚାରକୁ ନେବେ ବୋଲି ଆଗ୍ରହ ପ୍ରକାଶ ହେଉଛି’ ରୌଦ୍ର ସମାବେଶରେ ଅଗତ୍ୟା କାଳବୈଶାଖୀର ବଜ୍ରପାତ ନିନାଦିତ ବର୍ଷା ସଦୃଶ ଏବଂ ଏହା ଏଲିମେଣ୍ଟାରୀ ଶିକ୍ଷକମାନଙ୍କର ସଂଘର୍ଷକୁ ସାମାନ୍ୟ ପ୍ରଶମିତ କରିଛି । ଏଣୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆବାହକ ଶ୍ରୀ ପ୍ରବୀଣ କୁମାର ଦାସ ୧୨ ମଇ ୨୦୨୩ ଠାରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ଧାରଣାକୁ ସାମୟିକ ବିରତି ଦେବା ସହିତ ରାଜ୍ୟ ସରକାରଙ୍କୁ ଏଲିମେଣ୍ଟାରୀ ଶିକ୍ଷକଙ୍କ ଯୁକ୍ତିସଙ୍ଗତ ଦାବି ଗୁଡ଼ିକୁ ପୂରଣ ନିମନ୍ତେ ମହଲତ ଦେଇଛନ୍ତି । ଯଦି ସରକାର ବୈମାତୃକ ମନୋଭାବ ପୋଷଣ କରନ୍ତି, ତେବେ ପୁରପଲ୍ଲୀରୁ ସରକାରଙ୍କ ଶିକ୍ଷା ଓ ଶିକ୍ଷକ ମାରଣନୀତିର ପର୍ଦ୍ଦାଫାସ କରି ରାଜରାସ୍ତାକୁ ଓହ୍ଲାଇବାକୁ କୁଣ୍ଠାବୋଧ କରିବ ନାହିଁ । ଆଜିର ଏହି ସମାବେଶରେ ପ୍ରିୟମ୍ବଦା ଆଚାର୍ଯ୍ୟ, ସଲିଳ କୁମାର ପଟ୍ଟନାୟକ, ବ୍ରହ୍ମାନନ୍ଦ ପରିଡ଼ା, ପ୍ରିୟତମା ଜେନା, ବାସୁଦେବ ମଳିକ, ମଙ୍ଗୁଳି ଚରଣ ପରିଡ଼ା, ବିଜୟିନୀ ନନ୍ଦ, ମଦନ ସାହୁ, ଅମିତାଭ ଜେନା, ଅଶୋକ କୁମାର ପ୍ରଧାନ, ମନୋଜ ପଟ୍ଟନାୟକ, ସୁରସୁନ୍ଦର ଶତପଥୀ, ରାଜେଶ କୁମାର ମହାପାତ୍ର, ଆଶିଷ କୁମାର ମଲ୍ଲିକ, ଅରୁଣ କୁମାର ସୂତାର, ମନୋଜ ପଟ୍ଟନାୟକ, ପ୍ରଭାତ କୁମାର ବିଶ୍ୱାଳ, ବସନ୍ତ କୁମାର ପାଣି, ନିର୍ମଳା ମହାପାତ୍ର, ଶ୍ରୀନିବାସ ଦାଶ, ସୁଶାନ୍ତ କୁମାର ଦାଶ, ମନୋରଞ୍ଜନ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ