ଆଦର୍ଶ ଶିକ୍ଷୟିତ୍ରୀ ମମତା ମଞ୍ଜରୀ ରାଉତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ଚଣ୍ଡିପୁରସ୍ଥିତ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ମଞ୍ଜରୀ ରାଉତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେ ୧୯୮୭ ମସିହାରୁ ଚାକିରୀ ଜୀବନ ଆରମ୍ଭ କରି ଦୀର୍ଘ ୩୬ ବର୍ଷ ଧରି ବିଭିନ୍ନ ବିଦ୍ୟାଳୟରେ ସେ ଶିକ୍ଷାଦାନ କରିଆସିଛନ୍ତି । ସେଥିମଧ୍ୟରେ ଏରେଣ୍ଡେଇସ୍ଥିତ ଜେବି ନୋଡାଲ ସ୍କୁଲ, ଆପଣ୍ଡା ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଏବଂ ସଖିପାଟଣା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ଦୁର୍ଗାପୁର ଫିଡର ସ୍କୁଲ, ଚଣ୍ଡିପୁର ପିପିଏସରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ସେ ଅବସରପ୍ରାପ୍ତ ବିଦ୍ୟାଳୟ ନିରୀକ୍ଷକ ବୃନ୍ଦାବନ ସ୍ୱାଇଁଙ୍କ ଧର୍ମପତ୍ନୀ ତଥା ବରକୋଣା ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବୈଷ୍ଣବ ଚରଣ ସ୍ୱାଇଁଙ୍କ ପୁତ୍ରବଧୁ ଅଟନ୍ତି । ଗତ ୨୦୧୪-୧୫ ମସିହା ଗୁରୁଦିବସ ପାଳନ ବେଳେ ମମତା ମଞ୍ଜରୀଙ୍କୁ ବ୍ଲକ ସ୍ତରୀୟ ଆଦର୍ଶ ଶିକ୍ଷୟିତ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ସହକାରୀ ଶିକ୍ଷକ ଅରୁଣ କୁମାର ନାୟକଙ୍କ ତତ୍ତ୍ୱାବଧାନ ତଥା ଶିକ୍ଷକ ରମାକାନ୍ତ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ଅଜୟ କୁମାର ପୃଷ୍ଟି, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଗଜେନ୍ଦ୍ର ସେଠୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମମତାଜ ଅଲ୍ଲୀ ଖାଁ, ଶିକ୍ଷକ ଧର୍ମେନ୍ଦ୍ର ନାରାୟଣ ଜେନା, ସନାତନ ଦାସ, ମଳୟ କୁମାର ନାୟକ, ଅନିରୁଦ୍ଧ ମଙ୍ଗଳ, ସୁଧିର ରାଉତ, ନରେନ୍ଦ୍ର ସାହୁ, ନକୁଳ ଚନ୍ଦ୍ର ବାରିକ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଫିରଦୋଷ କାଦ୍ରୀଙ୍କ ସମେତ ପରିଚାଳନା କମିଟିର ସଭ୍ୟସଭ୍ୟା ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।


