ଆଦାନୀ ପୋର୍ଟ ଏପିଏସ୍ଇଜେଡ୍ରେ ୨ଠ୮ ଏମ୍ଏମ୍ଟି କାର୍ଗୋ କାରବାର
ନୂଆଦିଲ୍ଲୀ, (ଏଜେନ୍ସି): ଆଦାନୀ ଗ୍ରୁପର ଅଂଶବିଶେଷ ତଥା ଭାରତର ସର୍ବବୃହତ ବନ୍ଦର ବିକାଶକାରୀ ଆଦାନୀ ପୋର୍ଟସ ଏବଂ ସ୍ପେଶାଲ ଇକୋନୋମିକ ଜୋନ୍ ଲିମିଟେଡ୍ (ଏପିଏସ୍ଇଜେଡ଼୍)ପକ୍ଷରୁ କମ୍ପାନୀର ବାର୍ଷିକ ତଥା ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସମ୍ପନ୍ନ ହୋଇଥିବା ଚତୁର୍ଥ ତ୍ରୈମାସର ଆର୍ଥିକ ଫଳାଫଳ ପ୍ରକାଶ କରାଯାଇଛି । କମ୍ପାନୀର କାର୍ଯ୍ୟକାରୀ ଆୟରେ ବାର୍ଷିକ ଏବଂ ଚତୁର୍ଥ ତ୍ରୈମାସରେ ଯଥାକ୍ରମେ ୨୦% ଅଭିବୃଦ୍ଧି ଘଟିଛି । ଏହାର ବାର୍ଷିକ ପରିମାଣ ଚଳିତ ବର୍ଷ ୮୮୯୭କୋଟି ଥିବାବେଳେ ପୂର୍ବ ବର୍ଷ ଏହି ସମୟରେ ୭୩୯୩ କୋଟି ଟଙ୍କା ଥିଲା । ସଂଗଠିତ ଏବିଟଡ଼ା ଚଳିତ ବର୍ଷ ୯୦୯କୋଟି ଟଙ୍କା ଥିବାବେଳେ ପୂର୍ବବର୍ଷ ଏହି ସମୟରେ ୬୦୫୩ କୋଟି ଟଙ୍କା ଥିଲା । ଏବିଟଡ଼ା ମାର୍ଜିନ ବୃଦ୍ଧି ପାଇ ୬୫% ହୋଇଛି । ସେହିପରି ଟିକସ ପରବର୍ତ୍ତୀ ଲାଭ ୯% ବୃଦ୍ଧି ପାଇ ୪୦୦୬ କୋଟି ଟଙ୍କା ହୋଇଛି । ପୂର୍ବ ବର୍ଷ ଏହା ୩୨୩ କୋଟି ଟଙ୍କା ଥିଲା । ଚତୁର୍ଥ ତ୍ରୈମାସରେ କାର୍ଗୋ ରାଜସ୍ୱ ପରିମାଣରେ ୨୨% ବୃଦ୍ଧି ହୋଇଛି । ରାଜସ୍ୱ ଚତୁର୍ଥ ତ୍ରୈମାସରେ ୨୩୮୩ କୋଟି ଟଙ୍କା ଥିବାବେଳେ ଗତ ବର୍ଷ ଏହା ୧୯୪୭ କୋଟି ଟଙ୍କା ଥିଲା । ଟିକସକୁ ବାଦ୍ଦେଇ ରାଜସ୍ୱ ପରିମାଣ ୧,୨୯୬ କୋଟି ଟଙ୍କା ହୋଇଛି । ଯାହା ପୂର୍ବବର୍ଷ ଏହି ସମୟରେ ୧,୭୫୧ କୋଟି ଥିଲା । ସଂଗଠିତ ଏବିଟଡ଼ା ଚତୁର୍ଥ ତ୍ରୈମାସରେ ୧୨୧କୋଟି ଟଙ୍କା ବୃଦ୍ଧି ଘଟି ଏହା୧୪୯୨ କୋଟି ଟଙ୍କା ହୋଇଛି । ଏବିଟଡ଼ା ମାର୍ଜିନ ବୃଦ୍ଧି ପାଇ ୬୩% ହୋଇଛି । ସେହିପରି ଟିକସ ପରବର୍ତ୍ତୀ ଲାଭ ୩୯% ବୃଦ୍ଧି ପାଇ ୧୩୦୦ କୋଟି ଟଙ୍କା ହୋଇଛି । ଅନ୍ୟପକ୍ଷରେ ଟିକସ ପୂର୍ବବର୍ତ୍ତୀ ଲାଭ ୧୯% ବୃଦ୍ଧି ପାଇ ୧୫୮୩ କୋଟି ଟଙ୍କା ହୋଇଛି । କାର୍ଗୋରେ ଏହି ସମୟରେ ରେକର୍ଡ଼ ପରିମାଣ ୨୦୦ଏମ୍ଏମ୍ଟିର ଅଧିକ ସଫଳତା ହାସଲ ହୋଇଥିବା ଏପିଏସ୍ଇଜେଡ଼ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ କରନ ଆଦାନୀ କହିଛନ୍ତି । ସୂଚନାଯୋଗ୍ୟ ଯେ ଆଦାନୀ ପୋର୍ଟସ ଏବଂ ସ୍ପେଶାଲ ଇକୋନୋମିକ ଜୋନ ଲିମିଟେଡ୍ (ଏପିଏସ୍ଇଜେଡ଼) ଗତ ୨୦ ବର୍ଷ ଧରି ଦେଶରେ କାର୍ଯ୍ୟ ଜାରି ରଖିଛି । ଏହା ଗୁଜରାଟ୍ର ମୁନ୍ଦ୍ରା, ଦହେଜ୍, କାଣ୍ଡଲା, ହାଜିରା, ଓଡ଼ିଶାର ଧାମରା, ଗୋଆର ମୁର୍ମୁଗୋଆ, ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍, ଚେନ୍ନାଇର କାଟ୍ଟୁପଲ୍ଲୀ ଏବଂ ଏନ୍ନୋର ଆଦି ୧୦ଟି ବନ୍ଦରରେ କାର୍ଯ୍ୟ ଜାରି ରଖିଛି । ଏହା ଦେଶର ମୋଟ ବନ୍ଦର କ୍ଷମତାର ୨୪% ହାସଲ କରିପାରିଛି । କେରଳର ଭିଜିଞ୍ଜାମ୍ଠାରେ କମ୍ପାନୀ ପକ୍ଷରୁ ବନ୍ଦର ବିକାଶ କାର୍ଯ୍ୟ ଜାରି ରହିଛି ।