ଆଦିବାସୀଙ୍କୁ ମୌଳିକ ସୁବିଧା ପ୍ରଦାନ ନିମନ୍ତେ ଦାବିପତ୍ର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା): ମୋହନା ବ୍ଲକ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବ୍ଲକ । ୩୯ଟି ପଞ୍ଚାୟତକୁ ଏହି ବ୍ଳକ ଗଠିତ । ଏଠି ପ୍ରାୟ ୭୦ ଉର୍ଦ୍ଧ୍ୱ ହେଉଛନ୍ତି ଆଦିବାସୀ ସଂପ୍ରଦାୟର । ଜଙ୍ଗଲ ଉପରେ ନିର୍ଭର କରିବା ସହ କୁଲି ମଜୁରୀ ଖଟି ପରିବାର ପ୍ରତି ପୋଷଣ କରିବା ଏମାନଙ୍କର ଜୀବିକା । ଏମାନେ ସରଳ, ଶାନ୍ତ ପ୍ରକୃତିର ହୋଇନଥିବାରୁ ପ୍ରଶାସନ ଏମାନଙ୍କ ପ୍ରତି ଧ୍ୟାନ ଦେବାରେ ଉଣା କରିଥାନ୍ତି । ଯାହାଫଳରେ ଏମାନଙ୍କ ପାଇଁ ମୌଳିକ ସୁବିଧା ଅପହଞ୍ଚ । ଏହାକୁ ଦୃଷ୍ଟିରେ ରଖି ଭାରତର ମାର୍କ୍ସବାଦୀ କମ୍ପ୍ୟୁନିଷ୍ଟ ପାର୍ଟି ମୋହନା ଶାଖା କମିଟି ପକ୍ଷରୁ ୧୭ ଦଫା ସମ୍ମିଳନୀତ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅôଦକାରୀ ନରସିଂହ ମାଣ୍ଡାଙ୍ଗିଙ୍କୁ ପ୍ରଦାନ କରିଥିଲେ । ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ପଞ୍ଚାୟତ ଅଧିନ ୧୦ ରୁ ୧୨ ଖଣ୍ଡ ଗ୍ରାମର ୧୦୦ରୁ ଉର୍ଦ୍ଧ୍ୱ ଆଦିବାସୀ ଲୋକେ ଏକତ୍ରିତ ହୋଇ ସ୍ଥାନୀୟ ଡାକବଙ୍ଗଳା ଠାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରି ହାତରେ ନାଲି ଝଣ୍ଡା ଧରି ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସଭା କରିଥିଲେ । ଭାରତର ମାର୍କ୍ସବାଦୀ କମ୍ପ୍ୟୁନିଷ୍ଟ ପାର୍ଟି ରାଜ୍ୟ ସମ୍ପାଦକ ଜଗନ୍ନାଥ ମିଶ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେ ସଭାରେ କେନ୍ଦ୍ର ସରକାରଙ୍କ ମାରଣନୀତି ସଂପର୍କରେ ଆଲୋକପାତ କରିଥିଲେ । ୧୭ ଟି ଦାବୀ ଗୁଡ଼ିକ ମଧ୍ୟରୁ ରାଜ୍ୟରେ ଦେଖା ଦେଇଥିବା ମରୁଡି ପରିସ୍ଥିତିର ମୁକାବିଲା, କୃଷିଋଣ ଛାଡ, ସାର ଯୋଗାଣ, ଯୁଦ୍ଧକାଳୀନ ଭିତ୍ତିରେ ମାଗଣା ଟୀକା ଦାନ, କୋଭିଡ୍ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ସଂଖ୍ୟା ପ୍ରକାଶ ଓ ତାଙ୍କ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ, ପ୍ରତି ଗରୀବ ପରିବାରକୁ ମୁଣ୍ଡପିଛା ୧୦ କିଲୋ ଚାଉଳ, ଗହମ, ଡାଲି, ଖାଇବା ତେଲ, ଚିନି ଆଦି ଯୋଗାଇବା, ଆୟକର ପରିସରଭୁକ୍ତ ନଥିବା ପ୍ରତି ପରିବାରକୁ ମାସିକ ୭୫୦୦ ଟଙ୍କା ପ୍ରଦାନ, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦରଦାମ୍ କମାଯିବ ଓ ଶୁଳ୍କ ପରିମାଣ ହ୍ରାସ କରିବା, ରାଜ୍ୟର ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର, ଆଦିବାସୀ, ଦଳିତ ଓ ମହିଳାମାନଙ୍କ ଉପରେ ଅତ୍ୟାଚାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ସରକାରୀ ଦପ୍ତରରେ ଖାଲି ପଡିଥିବା ପଦବୀ ଗୁଡ଼ିକୁ ଶୀଘ୍ର ପୂରଣ, ସମସ୍ତ ବର୍ଗର ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରମାନଙ୍କୁ ଟୀକାଦାନ କରି ଶିକ୍ଷାନୁଷ୍ଠାନ ଶୀଘ୍ର ଖୋଲାଯିବା, ବିଦ୍ୟୁତ୍ ଶୁଳ୍କ ହ୍ରାସ, ପେଗାସସ ପରି ସାମରିକ ଗୁଇନ୍ଦାଗିରି ଉଚ୍ଚତମ ନ୍ୟାୟାଳୟ ତତ୍ତ୍ୱାବଧାନରେ ବିଚାର ବିଭାଗୀୟ ତଦନ୍ତ ଏବଂ ଲଖାରି ଅଞ୍ଚଳରେ ରହିଥିବା ୧୫ ଖଣ୍ଡ ଗ୍ରାମକୁ ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍, ଜଙ୍ଗଲ ଜମିପଟ୍ଟା, ଆଧାରକାର୍ଡ ଆଦି ମୌଳିକ ସମସ୍ୟାକୁ ନେଇ ଦାବୀପତ୍ର ପ୍ରଦାନ କରିଥିଲେ ।