ଆଦିବାସୀ ପରିବାରକୁ ପକ୍କାଗୃହ ଯୋଗାଇବାକୁ ଦାବି କରି ବିଜେପିର ସାମ୍ବାଦିକ ସମ୍ମିଳନୀ
ଭଣ୍ଡାରିପୋଖର ((ଦୁର୍ଯୋଧନ ଲେଙ୍କା ): ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ପଂଚାୟତ ଗନ୍ଧର୍ବବିନ୍ଧା ଆଦିବାସୀ ସାହି ଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଠାରେ ପ୍ରାୟ ୫୦ଗୋଟି ଆଦିବାସୀ ପରିବାର ୫୦ବର୍ଷ ଧରି ବସବାସ କରି ଆସୁଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ସେମାନଙ୍କୁ ବାଦ ଦିଆଯାଇଛି। ସ୍ଥାୟୀ ବସବାସର ସମସ୍ତ ପ୍ରମାଣପତ୍ର ଥାଇ ସୁଦ୍ଧା ତହସିଲ ପକ୍ଷରୁ ତାଙ୍କୁ ଘରଡିହ ପଟ୍ଟା ମିଳିନଥିବାରୁ ସେମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏଥିପାଇଁ ନିର୍ବାଚିତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମାନେ ଦାୟୀ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀ ନାରାୟଣ ଧଳ ଅଭିଯୋଗ କରିଛନ୍ତି। ସରକାର ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ପଟ୍ଟା ଯୋଗାଉଥିବାବେଳେ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ବହୁ ଆଦିବାସୀ ଏଥିରୁ ବାଦ ପଡିବା ପରିତାପର ବିଷୟ ବୋଲି କହିଛନ୍ତି। ଏନେଇ ସେ ଜାତୀୟ ଆଦିବାସୀ କମିଶନଙ୍କୁ ଭେଟି ଆଲୋଚନା କରିଥିବାବେଳେ ଖୁବ ଶୀଘ୍ର ବିଜେପି ପକ୍ଷରୁ ଜିଲ୍ଳାପାଳଙ୍କୁ ଭେଟି ଏବିଷୟରେ ଅଭିଯୋଗ କରାଯିବ ବୋଲି ସାମ୍ବାଦିକ ମାନଙ୍କୁ ଶ୍ରୀଧଳ କହିଛନ୍ତି। ଆୟୋଜିତ ସମ୍ମିଳନୀରେ ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ମଣ୍ଡଳ ସଭାପତି ପ୍ରଫୁଲ ସାହୁ, ପ୍ରଦ୍ୟୁମ୍ନ ସେନାପତି, ପ୍ରହଲ୍ଲାଦ ସାହୁ, ସ୍ୱରାଜ ମହାପାତ୍ର, ମିନତୀ ରାଉତ, କୃପାସିନ୍ଧୁ ବାରିକ, ଅମୂଲ୍ୟ ସେଠୀ, ଭୀମସେନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


