ଆଦିବାସୀ ହଷ୍ଟେଲ ପାଇଁ ଓଡ଼ିଶା ପାଇଲା ଆଇଏସଓ ମାନ୍ୟତା
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ଉନୟନ ବିଭାଗ ଦ୍ୱାରା ନିର୍ମିତ ଓ ପରିଚାଳିତ ୪୪ଟି ଆଦିବାସୀ ହଷ୍ଟେଲକୁ ମିଳିଛି ଆଇଏସଓ ମାନ୍ୟତା । ଏହି ମାନ୍ୟତା ପାଇବାରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଗଣା ହୋଇଛି । ଏଥିରେ କେନ୍ଦୁଝର ଜିଲ୍ଲାର ୩୨ଟି ଓ ସମ୍ବଲପୁର ଜିଲ୍ଲାର ୧୨ଟି ହଷ୍ଟେଲ ସାମିଲ ଅଛି ।
ବିଭାଗୀୟ ପ୍ରେସ ବିବୃତି ଅନୁଯାୟୀ, ଓଡ଼ିଶା ସରକାରଙ୍କ ଏସସି-ଏସଟି ଉନ୍ନୟନ ବିଭାଗ ପକ୍ଷରୁ ମିସନ ସୁବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ରାଜ୍ୟର ସମସ୍ତ ଆଦିବାସୀ ହଷ୍ଟେଲରେ ସମାନ ଧରଣର ଭିତ୍ତିଭୂମି, ସୁବିଧା ଓ ସୁଯୋଗ ଓ ମାନବ ସମ୍ବଳ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମ ମୂଳ ଲକ୍ଷ୍ୟ । କ୍ୱାଲିଟି କଣ୍ଟ୍ରୋଲ ଅଫ ଇଣ୍ଡିଆର ସହଯୋଗରେ ଏସବୁ ହଷ୍ଟେଲ ଗୁଡ଼ିକର ମୂଲ୍ୟାଙ୍କନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାର ସମସ୍ତ ହଷ୍ଟେଲ ଗୁଡ଼ିକର ମୂଲ୍ୟାଙ୍କନ କାର୍ଯ୍ୟ ହାତକୁ ନିଆଯାଇଥିଲା । କେନ୍ଦୁଝର ୧୫୬ଟି ହଷ୍ଟେଲ ଭିତରୁ ୬୦ଟି ଓ ସମ୍ବଲପୁର ୯୦ଟିରୁ ୧୨ଟିକୁ ମନୋନୀତ କରାଯାଇଥିଲା । ଜିଲ୍ଲାସ୍ତରୀୟ ଟିମ ଗଠନ କରାଯାଇ ୩ ମାସ ଅବଧି ଭିତରେ କ୍ୱାଲିଟି ମାନ୍ୟତା ପାଇବାକୁ ପଦକ୍ଷେପ ନିଆଯାଇଥିଲା । ଗତ ମାର୍ଚ୍ଚ ମାସରେ ଲକଡାଉନ ପୂର୍ବରୁ ଅଡିଟ ଟିମ ଏହି ଦୁଇଟି ଜିଲ୍ଲାରେ ଥିବା ହଷ୍ଟେଲ ଗୁଡ଼ିକର ଗୁଣାତ୍ମକ ମାନ ଯାଞ୍ଚ କରିଥିଲେ । ଲକଡାଉନ ପରେ ସ୍ୱାଭାବିକ ଅବସ୍ଥା ଫେରିବା ପରେ ଅବଶିଷ୍ଟ ୨୮ଟି ହଷ୍ଟେଲର ମାନ ମୂଲ୍ୟାଙ୍କନ କରାଯିବ ବୋଲି ସରକାର ଜଣାଇଛନ୍ତି ।


