ଆଦି ବୈଶିଷ୍ଟ୍ୟ ରହିଛି । ଏହା ୭.୮ମିମି ପତଳା ଏବଂ ୧୪୮ ଗ୍ରାମ୍ ବିଶଷ୍ଟ । ଲୀଲା ଭେଞ୍ଚର୍ ସମ୍ପତ୍ତି ବିକ୍ରିରେ କଟକଣା
ନୂଆଦିଲ୍ଲୀ, (ଏଜେନ୍ସି): ଆର୍ଥିକ ସଙ୍କଟ ସହିତ ସଂଘର୍ଷ କରୁଥିବା ହୋଟେଲ ଲୀଲା ଭେଞ୍ଚର୍ ଏହାର ଚାରି ହୋଟେଲ୍ ସମେତ ଅନ୍ୟ ସମ୍ପତ୍ତିଗୁଡ଼ିକୁ କାନାଡ଼ା ଇନ୍ଭେଷ୍ଟ୍ମେଣ୍ଟ ଫଣ୍ଡ୍ ବ୍ରୁକ୍ଫିଲ୍ଡ ଆସେଟ୍ ମ୍ୟାନେଜମେଣ୍ଟକୁ ବିକ୍ରି କରିବାକୁ ଯୋଜନା କରିଥିଲା । ଯାହା ଉପରେ ବଜାର ନିୟାମକ ସେବି କଟକଣା ଜାରି କରିଛନ୍ତି । ଏହି କଟକଣା ଆଇଟିସିର ବିରୋଧ କାରଣରୁ ଲାଗୁ କରାଯାଇଛି । ଏହି ତଥ୍ୟ ହୋଟେଲ ଲୀଲା ପକ୍ଷରୁ ବୁଧବାର ପ୍ରକାଶ କରାଯାଇଛି । ହୋଟେଲ ଲୀଲା ଭେଞ୍ଚର୍ ଲିମିଟେଡ୍ (ଏଚ୍ଏଲ୍ଭିଏଲ୍) ଏପ୍ରିଲ୍ ୧୮ରେ ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ ଓ ଉଦୟପୁରରେ ଥିବା ନିଜର ୪ ହୋଟେଲ୍ ସମେତ ଅନ୍ୟ ସମ୍ପତ୍ତିଗୁଡ଼ିକୁ ବ୍ରୁକ୍ଫିଲ୍ଡକୁ ୩୯୫୦ କୋଟି ଟଙ୍କାରେ ବିକ୍ରି କରିବାକୁ ଘୋଷଣା କରିଥିଲା । ଏଥିପାଇଁ ସେ ସେୟାର ଧାରକଙ୍କ ଠାରୁ ମଞ୍ଜୁର ମଧ୍ୟ ମାଗିଥିଲା । ତେବେ ସେବି ଏଥିପାଇଁ କଟକଣା ଲାଗୁ କରିଛନ୍ତି । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ଼ (ସେବି) ହୋଟେଲ ଲୀଲାକୁ ଲେଖିଥିବା ପତ୍ରରେ କହିଛନ୍ତି ଯେ, କମ୍ପାନୀ ବିବିଧ କାରବାର କରୁଥିବା ଆଇଟିସି ସମୂହ ଓ ଅଳ୍ପାଂଶ ସେୟାର ଧାରକ ଜୀବନବୀମା ନିଗମ ଠାରୁ ବିରୋଧ ପତ୍ର ମିଳିଛି, ଯଦ୍ୱାରା ଏପରି ଏକ ନିଷ୍ପତ୍ତି ନିଆଯାଇଛି । ତେବେ ଆଇଟିସି ହୋଟେଲ ଲୀଲା ଭେଞ୍ଚର୍ ବିରୋଧରେ ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧିକରଣ (ଏମ୍ସିଏଲ୍ଟି)ର ଦ୍ୱାରସ୍ଥ ହୋଇଛି । ସମୂହ ହୋଟେଲ ଲୀଲା ଭେଞ୍ଚର୍ ଉପରେ ଉତ୍ପୀଡ଼ନ ଓ କୁ-ପ୍ରବନ୍ଧନର ଅଭିଯୋଗ ଲଗାଇଛି । ହୋଟେଲ୍ ଲୀଲା ଭେଞ୍ଚର୍ ସେୟାର୍ ବଜାରକୁ ଦେଇଥିବା ସୂଚନା ଅନୁସାରେ ସେବିକୁ ଏହି ମାମଲାରେ ହୋଟେଲ୍ ବିରୋଧରେ ଅଭିଯୋଗ ପତ୍ର ମିଳିଛି । ସେବି ପ୍ରତିଭୂତି ବଜାରରେ ନିବେଶ ଦୃଷ୍ଟିରୁ ଚିନ୍ତା ପ୍ରକଟ କରିଛି । ତେବେ ସେବି ପକ୍ଷରୁ ଅଭିଯୋଗଗୁଡ଼ିକର ଯାଞ୍ଚ କରାଯାଉଛି । ସେବି ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହୋଟେଲ ଲୀଲା ଭେଞ୍ଚର୍କୁ ପ୍ରସ୍ତାବିତ ନେଣଦେଣ କାର୍ଯରେ କୌଣସି ପଦକ୍ଷେପ ନେବା ଉପରେ କଟକଣା ଜାରି କରିଛନ୍ତି ।
ଆରମିସ୍ଇଣ୍ଡିଆ ଏମ୍ଟିଭି ବକ୍ସ କ୍ରିକେଟ ଲିଗ୍-ହେଲୋ ସହଭାଗିତା
ନୂଆଦିଲ୍ଲୀ, (ଏଜେନ୍ସି): ସ୍ୱତନ୍ତ୍ର ଡିଜିଟାଲ ଗଣମାଧ୍ୟମ ସହଯୋଗୀ ପାଇଁ ଦେଶର ଅଗ୍ରଣୀ ସାମାଜିକ ଗଣମାଧ୍ୟମ ମଞ୍ଚ ହେଲୋ ଆରମିସ୍ଇଣ୍ଡିଆ ଏମ୍ଟିଭି ବକ୍ସ କ୍ରିକେଟ ଲିଗ୍ (ବିସିଏଲ) ୨୦୧୯ ସହ ସହଭାଗିତା କରିଛି । ଏହି ଇନ୍ଡ଼ୋର୍ କ୍ରିକେଟ୍ କାର୍ଯ୍ୟକ୍ରମର ପ୍ରଯୋଜନା କରିଛନ୍ତି ବାଲାଜୀ ଟେଲିଫିଲ୍ମ । ଏଥିରେ ଭାରତୀୟ ଟେଲିଭିଜନ ଶିଳ୍ପର ବ୍ୟକ୍ତିବିଶେଷ ଯୋଗଦେବେ । ଟ୍ରଫି ପାଇଁ ୬ଟି ଦଳ ପ୍ରତିଯୋଗିତା କରିବେ । ଏହି ସହଯୋଗିତା ଫଳରେ ଏମ୍ଟିଭି ବିସିଏଲ୍ ସିଜିନ୍ ୪ରେ ହେଲୋ ଏକମାତ୍ର ଅନ୍ଲାଇନ ଇନଫୋଟେନ୍ମେଣ୍ଟ ମଞ୍ଚ ହୋଇପାରିବ । ପ୍ରତିଯୋଗୀ କଳାକାରଙ୍କ ଦୈନନ୍ଦିନ କାର୍ଯ୍ୟକଳାପ ଓ ବିସିଏଲ ସଂକ୍ରାନ୍ତ ସର୍ବଶେଷ ତାଜା ଖବର ହେଲୋ ନିଜ ଗ୍ରାହକଙ୍କୁ ଯୋଗାଇ ଦେବ । ଦେଶରେ ଯେଉଁ ଘଟଣାଟି ଜନତାଙ୍କୁ ଏକତ୍ର କରିଥାଏ ତାହା ହେଉଛି କ୍ରିକେଟ୍ । କ୍ରିକେଟ୍ ଓ ମନୋରଞ୍ଜନକୁ ଗ୍ରାହକଙ୍କ ପାଇଁ ଏକତ୍ର ପରିବେଷଣ କରିବା ଉଦ୍ଦେଶ୍ୟରେ ଏପ୍ରକାର ସହଯୋଗିତା କରାଯାଇଛି ବୋଲି କହିଛନ୍ତି ହେଲୋର ବିଷୟବସ୍ତୁ ପରିଚାଳନା ମୁଖ୍ୟ ଶ୍ୟାମଙ୍ଗ ବରୋଆ । ହେଲୋ ମଞ୍ଚ ୧୪ଟି ଭାରତୀୟ ଭାଷାରେ ଉପଲବ୍ଧ । ବିସିଏଲ୍ରେ ଅନୂନ୍ୟ ୧୫୦ ସେଲିବ୍ରେଟି ଅଂଶଗ୍ରହଣ କରିବାର ସମ୍ଭାବନା ଥିବାରୁ ଏହି ମଞ୍ଚ ମାଧ୍ୟମରେ ସଂଖ୍ୟାଧିକ ଜନତାଙ୍କ ନିକଟରେ ପହଞ୍ଚି ହେବ ବୋଲି ବିସିଏଲ୍ ଅଧିକାରୀ ଆନନ୍ଦ ମିଶ୍ର କହିଛନ୍ତି । ଏମ୍ଟିଭି ବିସିଏଲ ସିଜିନ ୪ କାର୍ଯ୍ୟକ୍ରମ ୨୯ ଏପ୍ରିଲରୁ ପ୍ରସାରିତ ହେବ ।