ଆଧୁନିକତାକୁ ତାଳ ଦେଇ ବଢୁଛି ମାଟିପାତ୍ରର ଚାହିଦା
ହିଞ୍ଜିଳିକାଟୁ,(ସେସଦେବ ସାହୁ) : ଆଧୁନିକ ଯୁଗରେ ଲୋକଙ୍କ ରୁଚି ବଦଳୁଛି । ସାମାଜିକ ଜୀବନ ସହ ସମ୍ପୃକ୍ତ ରହିଥିବା ମାଟିହାଣ୍ଡିର ଚାହିଦା ମଧ୍ୟ ଧିରେ ଧିରେ କମିବାରେ ଲାଗିଛି । ଏଥି ସହ କୁମ୍ଭକାରଙ୍କ ଜୀବନ ଜୀବିକା ମଧ୍ୟ ସଙ୍କଟରେ ରହିଛି । ଦିନ ଥିଲା ଲୋକମାନେ ଅଧିକ ମାତ୍ରାରେ ମାଟି ସାମଗ୍ରୀ ଉପରେ ନିର୍ଭର କରୁଥିଲେ । ପୂଜାପାର୍ବଣ ସମେତ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମାଟିପାତ୍ର ବ୍ୟବହାର କରାଯାଉଥିଲା । ବିଶେଷକରି ଗ୍ରୀଷ୍ମ ଋତୁରେ ମାଟି ପାତ୍ରର ଚାହିଦା ବେଶ୍ ଜମୁଥିଲା । କିନ୍ତୁ ବର୍ତ୍ତମାନ ଥଣ୍ଡାପାଣି ପିଇବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ବାହାରିବା ଫଳରେ ଲୋକେ ମାଟିପାତ୍ରର ଚାହିଦା ଆଗଭଳି ନଥିଲେ ମଧ୍ୟ ଖରା ବଢିବା ସହ ମାଟିହାଣ୍ଡି, ମାଠିଆ, ସୁରେଇ ଆଦି ପାତ୍ରର ଚାହିଦା ବଢିବାରେ ଲାଗିଛି । ସାଇକେଲ ହେଉ କି ମୁଣ୍ଡରେ ହେଉ କୁମ୍ଭକାର ପରିବାରର ସଦସ୍ୟ ମାନେ ମାଟିପାତ୍ର ଆଣି ହିଞ୍ଜିଳିକାଟୁ ବଜାରର ସାପ୍ତାହିକ ଶନିବାର ହାଟରେ ମାଟିପାତ୍ରର ପସରା ବେପାର ଚାଲୁଥିବା ଦେଖିବାକୁ ମିଳୁଛି । ଖରାଦିନେ ଅସହ୍ୟ ଗରମକୁ ଲକ୍ଷ୍ୟ କରି ବହୁଲୋକେ ମାଟିପାତ୍ର କିଣୁଛନ୍ତି । ବିଶେଷକରି ପାଣିକୁ ଥଣ୍ଡା ରଖିବାକୁ ମାଟିହାଣ୍ଡି, ସୁରେଇ ଓ ମାଠିଆର ବିଳ୍ପକ ନାହିଁ । ପରିବେଷ ଅନୁକୂଳ ମାଟିପାତ୍ର ଶରୀର ପାଇଁ ମଧ୍ୟ ଉପକାରୀ । କୌଣସି ରାସାୟନିକ ଦ୍ରବ୍ୟ ବିନା ପ୍ରାକୃତିକ ଉପାୟରେ ଏହା ତିଆରି ହୋଇଥିବାରୁ ମାଟିପାତ୍ରର ପାଣି ପିଇବା ଦ୍ୱାରା ଶରୀରକୁ ନିରୋଗ ରଖିଥାଏ । କୁମ୍ଭକାରଙ୍କ ପାରମ୍ପରିକ ଜୀବିକାର ଏହି ମାଧ୍ୟମ ପୂର୍ବରୁ ବେଶ୍ ଭଲ ଭାବରେ ଚାଲିଥିଲା । କିନ୍ତୁ ସମୟ ବଦଳିବା ସହ ଏହି ଧାରା ମଧ୍ୟ ବଦଳିଗଲା । ଏସବୁ ମାଟିପାତ୍ରର ଚାହିଦାକୁ ଆଲୁମିନିୟମ, ଷ୍ଟିଲ ଆଦି ସାମଗ୍ରୀ ସ୍ଥାନ ନେଲା । ମାଟିପାତ୍ର ଓ ଅନ୍ୟପାତ୍ରର ସ୍ୱଳ୍ପ ଆୟୁ ଦୃଷ୍ଟିରୁ ଲୋକେ ଏହି ମାଟିପାତ୍ର ସାମଗ୍ରୀକୁ ଛାଡିଲେ ଓ ଆଧୁନିକ ସମୟ ସହ ତାଳ ଦେଇ ବର୍ତ୍ତମାନ ସମୟରେ ଆଲୁମିନିୟମ, ଷ୍ଟିଲ ସୁଅରେ ନିଜର ଘରୋଇ ସାମଗ୍ରୀ କଲେ । ଫଳରେ କୌଳିକ ବୃତ୍ତି ସଙ୍କଟର ସମ୍ମୁଖୀନ ହେଲା । କେବଳ ମାଟିଦୀପ, କଳସ, ସରା ଓ କେତେକ ରାଜନୀତି ପାଇଁ ଆବଶ୍ୟକ ସାମଗ୍ରୀ ହିଁ ଲୋକଙ୍କୁ ଆବଶ୍ୟକ ହେଉଛି । ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ କୁମ୍ଭାର ମାନେ ବିଭିନ୍ନ ପ୍ରକାର ମାଟିପାତ୍ର ତିଆର କରି ହିଞ୍ଜିଳିକାଟୁ ବଜାରର ସାପ୍ତାହିକ ହାଟରେ ମାଟିପାତ୍ରର ପସରା ବେପାର କରୁଥିବା ବେଳେ ଅନ୍ୟ ଦିନ ମାନଙ୍କରେ ସାଇକେଲ କିମ୍ବା ମୁଣ୍ଡରେ ବୋଝେଇ କରି ଗାଁ ଗାଁ ବୁଲି ବିକ୍ରି କରୁଥିବାର ଦେଖିବାକୁ ମିଳୁଛି । ବର୍ତ୍ତମାନ ପୂର୍ବପରି ଏହି ଆଦର ଲୋକଙ୍କ ମଧ୍ୟରେ ନାହିଁ । କେବଳ ଗ୍ରୀଷ୍ମ ଋତୁରେ ଏହାର ଚାହିଦା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ମାଟିହାଣ୍ଡି ଗଢିବା ପାଇଁ ଯେତିକି ପରିଶ୍ରମ କରିବାକୁ ପଡ଼ୁଛି ସେହି ଅନୁପାତରେ ପାରିଶ୍ରମିକ ମିଳୁନାହିଁ କି ସରକାରଙ୍କ ତରଫରୁ କୌଣସି ପ୍ରକାର ସହାୟତା ମିଳୁନାହିଁ ବୋଲି କୁମ୍ଭକାର ପରିବାର ମାନେ କହିଛନ୍ତି । ଯଦି ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଅନ୍ତେ ତେବେ କୌଳିକ ବୃତ୍ତି କୁମ୍ଭକାର ମାନେ ଆପଣେଇ ପାରିବା ସହ ସୁନ୍ଦର କଳା କୁଟିର ଶିଳ୍ପର ଅସ୍ୱିତ୍ୱ ବଜାଇ ରଖିବାରେ ସମର୍ଥ ହୁଅନ୍ତେ ବୋଲି ସ୍ଥାନୀୟ ବ୍ଳକର ବୁରୁପୋଡା, ଚାନ୍ଦୁଲି, ବେଲଗାଁ, ଖରିଡା, ଆଲପୁର, ଶ୍ରଦ୍ଧାପୁର ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳର କୁମ୍ଭକାର ପରିବାର କହିଛନ୍ତି ।
ଫଟୋ-