ଆଧୁନିକ ଯୁଗରେ ବି ଦେଶୀୟ ସାମଗ୍ରୀ ମିଳୁଥିବାରୁ ରହିଛି ସାପ୍ତାହିକ ହାଟର ଚାହିଦା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ୭ ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଶାଣୀ, ଗୁମ୍ମା ଆଦି ବ୍ଲକ ଅଞ୍ଚଳରେ ଭିନ୍ନ ଭିନ୍ନ ଦିନରେ ଅନୁଷ୍ଠିତ ହୁଏ ସାପ୍ତାହିକ ହାଟ। ସେଥିମଧ୍ୟରୁ ସପ୍ତାହର ଶନିବାର ଦିନ ପାରଳାଖେମୁଣ୍ଡିସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଅନୁଷ୍ଠିତ ହୁଏ ସାପ୍ତାହିକ ହାଟ। ଗୋଟିଏ ସ୍ଥାନରେ ମିଳିଥାଏ ପରିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଘରେଈ ଉପକରଣ ଜିନିଷ । ଏହି ହାଟର ରହିଛି ଏକ ସ୍ବତନ୍ତ୍ର ଚାହିଦା । ଦୌନନ୍ଦିନ ବଜାର ଠାରୁ ଏଠାରେ ମିଳିଥାଏ ସୁଲଭ ମୂଲ୍ୟରେ ସତେଜ ପରିବା। ସପ୍ତାହରେ ଥରେ ଗୋଟିଏ ଜାଗାରେ ମିଳିଥାଏ ଲୋକଙ୍କ ପାଇଁ ଆବଶ୍ୟକ ହେଉଥିବା ମାଟିରେ ତିଆରି ହୋଇଥିବା ବିଭିନ୍ନ ପ୍ରକାରର ରୋଷେଇ ପାତ୍ର ସହ ପୂଜା ପାଇଁ ବ୍ୟବହାର ହେଉଥିବା ଦୀପ ଓ ରୁଖା ସାଙ୍ଗକୁ ବିଭିନ୍ନ ଉପକରଣ, ବାଉଁଶରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାରର ଘରେଇ କରଣ ସାମଗ୍ରୀ ମିଳିଥାଏ । ଏହି ସାପ୍ତାହିକ ହାଟ ଉପରେ ପାରଳା ସହରର ୱାର୍ଡ ନମ୍ବର ୦୧ , ୦୨,୦୩ ର ବିଭିନ୍ନ ସାହିର ଲୋକେ ବେଶ ଉପକୃତ ହେବା ସହ ସହରରର ଛୋଟ ଛୋଟ ବ୍ୟବସାୟୀ ମାନେ ମଧ୍ୟ ଏହାର ବ୍ୟବସାୟ କରି ନିଜ ଭରଣ ପୋଷଣ କରିବା ସହ ଗୁଜୁରାଣ ମେଣ୍ଟାଉଛନ୍ତି. ବିଶେଷକରି ଗଜପତି ଜିଲ୍ଲାର ରାୟଗଡା ବ୍ଲକର ସାପ୍ତାହିକ ହାଟ ବ୍ଲକ ଅଞ୍ଚଳରେ ହେଉଥିବା ବିଭିନ୍ନ ହାଟ ଠାରୁ ବଡ଼ ଧରଣର ହାଟ ଅଟେ. ରାୟଗଡ ଅଞ୍ଚଳରେ ଉତ୍ପାଦିତ ହେଉଥିବା ବିଭିନ୍ନ କିସମର ପନିପରିବା, କଞ୍ଚା ଓ ପାଚିଲା କଦଳୀ ବିଭିନ୍ନ ଫଳ, ଜଙ୍ଗଲ ଜାତ ଦ୍ରବ୍ୟ, ଦେଶୀ କୁକୁଡ଼ା ଆଦି ଏହି ହାଟରେ ମିଳିଥାଏ. ଜିଲ୍ଲାରେ ହେଉଥିବା ସମସ୍ତ ଗ୍ରାମାଞ୍ଚଳର ହାଟ ଗୁଡିକରେ ମୁଖ୍ୟତଃ ଗ୍ରାମାଞ୍ଚଳରୁ ଉତ୍ପାଦିତ ହେଉଥିବା ଫଳ, ପନିପରିବା, ଜଙ୍ଗଲରୁ ଜାତ ହଳଦୀ, ତେନ୍ତୁଳି, କାନ୍ଦୁଲ ଆଦି ସହ ଦେଶୀ କୁକୁଡ଼ା ହାଟ ଗୁଡିକରେ ମଧ୍ୟ ମିଳିଥାଏ. ସମସ୍ତ ଗ୍ରାମାଞ୍ଚଳ ହାଟକୁ ସମ୍ପୃକ୍ତ ଅଞ୍ଚଳର ଲୋକମାନେ ପହଞ୍ଚି ବିକ୍ରିବଟା କରିଥାନ୍ତି. ଅନ୍ୟ ପକ୍ଷରେ ଗ୍ରାମାଞ୍ଚଳର ହାଟ ଗୁଡିକରେ ବିଭିନ୍ନ ଦେଶୀ କିସମର ଫଳ ପନିପରିବା, ଉତ୍କୃଷ୍ଟ ଧରଣର ଦେଶୀ କୁକୁଡ଼ା ଓ ଦେଶୀ ଅଣ୍ଡା ଆଦି ମିଳୁଥିବା ଯୋଗୁଁ ପଡୋଶୀ ଆନ୍ଧ୍ର ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବହୁ ଗରାଖ ଆସି ଏଠାରୁ ବିଭିନ୍ନ ମନଲାଖି ଜିନିଷ କିଣି ନେଇଥାନ୍ତି. ମୋଟା ମୋଟି କହିବାକୁ ଗଲେ ଗଜପତି ଜିଲ୍ଲାର ସାପ୍ତାହିକ ହାଟ ଗୁଡିକ ଅତ୍ୟନ୍ତ ନିଆରା ଅଟେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ