ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ବିଜେଡି କର୍ମକର୍ତ୍ତାଙ୍କୁ ବିଧାୟକଙ୍କ ଅଣଦେଖା, ବଢୁଛି ଅସନ୍ତୋଷ
ଆନନ୍ଦପୁର, (ଯୁଗାବ୍ଦ ନ୍ୟୁଜ):ଆଉ ମାସ କେଇଟା ପରେ ହେବାକୁ ଯାଉଛି ସଧାରଣ ନିର୍ବାଚନ। ଏଥିପାଇଁ ସବୁ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ପର୍ଵ। ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବୈଠକ ମାନ କରି କର୍ମୀ ସମାବେଶ କରି ରଣନୀତି ପ୍ରସ୍ତୁତ କଲେଣି। ଆନନ୍ଦପୁର ବିଧାନସଭା ଆସନ ଟି ପୂର୍ବରୁ କଂଗ୍ରେସ ର ଗଡ ବୋଲି ବିବେଚନା କରା ଯାଉଥିବା ବେଳେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏଠାରୁ ଅନେକ ଥର ପ୍ରତିନିଧିତ୍ଵ କରିଛନ୍ତି। ମାତ୍ର ଗତ ୩ଟି ନିର୍ବାଚନ ରେ ଏଠି ବିଜେଡି ପ୍ରାର୍ଥୀ ମାନେ ଲଗାତାର ଭାବେ ବିଜୟୀ ହେଉଛନ୍ତି। କିନ୍ତୁ ବିଜେଡିରେ ଏବେଠାରୁ ଦିନ କୁ ଦିନ ଗୋଷ୍ଠୀ କନ୍ଦଳ ତୀବ୍ର ହେବାକୁ ଲାଗିଲାଣି। ବିଜେଡ଼ି ର ବରିଷ୍ଠ କର୍ମକର୍ତ୍ତା ମାନେ ଏବେ ଆଉ ଦଳୀୟ ସମାବେଶରେ ଦେଖିବାକୁ ମିଳୁ ନାହାନ୍ତି। ବିଶେଷ କରି ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଭାଗିରଥି ସେଠୀ ବରିଷ୍ଠ କର୍ମକର୍ତ୍ତା ମାନଙ୍କୁ ଅଣଦେଖା କରୁଥିବାରୁ ଆଗାମୀ ଦିନରେ ଏହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବା ନେଇ ରାଜନୀତିଜ୍ଞ ମହଲରେ ଆଶଙ୍କା ଦେଖା ଦେଇଛି। ଭାଗିରଥି ସେଠୀ ବିଧାୟକ ଭାବେ ନିର୍ବାଚିତ ହେବା ପରେ ପୂର୍ବର ଟିକେଟ ଆଶାୟୀ ଥିବା ବିଜେଡି ନେତାମାନଙ୍କୁ କୋଣ ଠେସା କରି ରଖିଥିବା ବେଳେ ପୁର୍ବତନ ବିଧାୟକ ମାୟାଧର ଜେନା, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ପୂର୍ବତନ ବ୍ଲକ ସଭାପତି ଅକ୍ଷୟ ବରାଳ, ବରିଷ୍ଠ ବିଜେଡି ନେତା ରବିନ୍ଦ୍ର ସାମଲ, ଶାନ୍ତନୁ ସେଠୀ, ବିଶ୍ୱନାଥ ପ୍ରତାପ ଜେନା, ବିମଳ କିଶୋର ଜେନା, ବଳରାମ ମଲ୍ଲିକ, ହାଡ଼ିବନ୍ଧୁ ଦେହୁରୀ, ଯୋଗେନ୍ଦ୍ର ବେହେରା, ବୁଦ୍ଧଦେବ ଜେନା, ଭୀମସେନ ପେରେଇଙ୍କ ଭଳି ଅନେକ ନେତାଙ୍କୁ ଅଣଦେଖା କରି କୌଣସି ଦଳୀୟ କାର୍ଯ୍ୟକ୍ରମ କୁ ଡାକୁ ନାହାନ୍ତି। ଯଦି ବା କିଏ କେବେ ଯାଉଛନ୍ତି ସେମାନଙ୍କୁ ଅପମାନିତ କରିବାକୁ ପଛାଉ ନାହାନ୍ତି। କିଛି କଂଗ୍ରେସ କର୍ମୀଙ୍କୁ ଧରି ଦଳୀୟ ନେତୃବୃନ୍ଦ ଙ୍କୁ ଅଣଦେଖା କରିବା ଦଳୀୟ କର୍ମୀଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଛି। ନିର୍ବାଚନ ଆଉ ଦିନ କେଇଟା ଥିବାବେଳେ ବିଧାୟକଙ୍କ ଏପରି କାର୍ଯ୍ୟ କଳାପ ଦଳ ପାଇଁ ଶୁଭଙ୍କର ନୁଁହ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି। ବିଧାୟକ ଙ୍କ ଆକ୍ରୋଶ ର ଶିକାର ହୋଇଥିବା କର୍ମକର୍ତ୍ତା ମାନଙ୍କୁ ନେଇ ଆଗାମୀ ଦିନରେ ଏକ ସମାବେଶ କରାଯିବାକୁ ଯୋଜନା ଚାଲିଛି। ଏହାକୁ ନେଇ ବିରୋଧି କଂଗ୍ରେସ ଓ ବିଜେପି କିପରି ଏହାର ଫାଇଦା ଉଠାଇବ ସେଥିପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।