ରାମ ବିକ୍ରମ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ପି.ଏମ୍.ଶ୍ରୀ ରାମ ବିକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟ, ଷଡ଼ଙ୍ଗର ପୂର୍ବତନ ସୁନାମଧନ୍ୟ ପ୍ରଧାନ ଶିକ୍ଷକ ବୃନ୍ଦାବନ ମଲ୍ଲିକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶ୍ରୀଯୁକ୍ତ ମଲ୍ଲିକ୍ ଏଠାରେ ଦୀର୍ଘବର୍ଷ ଧରି ଶିକ୍ଷାଦାନ କରିବା ସହିତ ବିଦ୍ୟାଳୟକୁ ଏକ ସରସ ସୁନ୍ଦର ଭାବେ ଗଢି ତୋଳିଥିଲେ। ତାଙ୍କ ସମୟରେ ଅନେକ ଛାତ୍ରଛାତ୍ରୀ ଏ -୧ରେ ଉତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଥିଲେ। ପ୍ରଧାନ ଶିକ୍ଷକ ଲୋକନାଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଜଣେ ଜଣେ ସୁ ହିନ୍ଦୁ ନାଗରିକ ଭାବେ ଗଢି ତୋଳିବାକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ସଚ୍ଚିଦାନନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ବିଇଓ ରାଜୀବ ଦଳେଇ, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାଗୁଣି ପ୍ରଧାନ, ଓଷ୍ଟାର ଯୁଗ୍ମ ସଂପାଦକ ମୃତ୍ୟୁଞ୍ଜୟ ପଲେଇ, କେନ୍ଦୁଝର ଜିଲ୍ଲା ଓଷ୍ଟାର ସମ୍ପାଦକ ରଞ୍ଜନ ଘଡ଼ାଇ, ଅବସରପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ବେହେରା, ନାରାୟଣ ପାତ୍ର, ଜଟାଧାରା ବେହେରା, ନୃସିଂହ ଚରଣ ପଣ୍ଡା ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍କୁଲ ଓ ପୁରାତନ ଛାତ୍ରଛାତ୍ରୀ ଙ୍କ ପକ୍ଷରୁ ଉତ୍ତରୀୟ, ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଅବସର ନେଇଥିବା ପ୍ରଧାନଶିକ୍ଷକ ଙ୍କୁ ଏକ ବିରାଟ ପଟୁଆର ରେ ସ୍କୁଲ ନିକଟକୁ ପାଛୋଟି ଅଣା ଯାଇଥିଲା। ଏଥିରେ ବର୍ତ୍ତମାନ ର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ। ଶିକ୍ଷକ ଦୀପ୍ତି ରଞ୍ଜନ ପଣ୍ଡା, ଜୟନ୍ତ କୁମାର ସେଠୀ, ଶ୍ରୀକାନ୍ତ ଦାସ, ଭଗବାନ ସେଠୀ, ଅହଲ୍ୟା ଲେଙ୍କା, ମଧୁସ୍ମିତା ପହି, ଅଜିତ କୁମାର ନାୟକ,ହେମନ୍ତ କୁମାର ସାହୁ, ସ୍ବର୍ଣ୍ଣ ମଞ୍ଜରୀ ସା, କିଶୋର କୁମାର ପାଣିଗ୍ରାହୀ, ରତିକାନ୍ତ ପଣ୍ଡା, ପୂଜସ୍ମିତା ଜେନା, ମହାମାୟା ସାମନ୍ତରାୟ, ଅର୍ଚନା ପରିଡା, କିରାଣୀ ପ୍ରକାଶ କୁମାର ଦାସ, କର୍ମଚାରୀ ଜଗବନ୍ଧୁ ପଢ଼ିଆରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପିଏମଶ୍ରୀ ବିଦ୍ୟାଳୟ ଘୋଷଣା କରାଯାଇ ଥିଲେ ବି ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତ ହେଉ ନଥିବାରୁ ନାନା ସମସ୍ୟା ଦେଖାଦେଉଛି ବୋଲି ସ୍କୁଲ ପକ୍ଷରୁ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।


