ଆନ୍ତଃ ପ୍ରଦେଶର ଦଲାଲଙ୍କକବଜାରେ ଥିବା ପିଲାକୁ ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆନ୍ତଃ ପ୍ରଦେଶର ଦଲାଲଙ୍କ କବଜାରେ ଥିବା ପୁଅ ଏବଂ ଅନ୍ୟ ତିନିଜଣଙ୍କୁ ଉଦ୍ଧାର କରାଯିବା ପାଇଁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ବଡପାଳ ଗ୍ରାମର ଫକିର ଚରଣ ମଲିକ ଜିଲ୍ଲାପାଳଙ୍କ ନିକଟରେ କରିଥିବା ଅଭିଯୋଗରୁ ପ୍ରକାଶ ଯେ ଗତ ସେପ୍ଟେମ୍ବରମାସ ରେ ତାଙ୍କର ପୁଅ ସୈାମ୍ୟରଞ୍ଜନ ମଲିକ(୨୩) ଏବଂ ସେହି ଗ୍ରାମର ଜଗବନ୍ଧୁ ମିଲକଙ୍କ ପୁଅ ତୋଫାନ ମଲିକ, କୁମର ମଲିକଙ୍କ ପୁଅ ବଣ୍ଟି ମଲିକ ଓ ସେହି ଥାନା ଅନ୍ତର୍ଗତ ଗତାନଇ ଗ୍ରାମର ମକର ମଲିକଙ୍କ ପୁଅ ସରୋଜ ମଲିକ ଏକାଠି ଆନ୍ଧ୍ରପ୍ରଦେଶ ଯାଇଥିଲେ । ସେଠାରେ ଏକ ଦଲାଲ ହାବୁଡରେ ଏହି ୪ଜଣ ପିଲା ପଡିବା ପରେ ସେହି ଦଲାଲ ଦ୍ୱାରା ବିଭିନ୍ନ ଅକଥନୀୟ ନିର୍ଯ୍ୟାତନାର ଶୀକାର ହୋଇ ତା’ର ନଜରବନ୍ଦୀରେ ରହି କାମ କରୁଥିଲେ । ଚଳିତମାସ ୧୩ତାରିଖରେ ବଣ୍ଟି ମଲିକ କୈାଶଳ କ୍ରମେ ସେଠାରୁ ଖସିଆସିବାରେ ସେ ଏଠାରେ ସମସ୍ତ ବିଷୟ କହିଥିଲା । ସଂପୃକ୍ତ ଦଲାଲ ସେଠାରେ ପିଲାମାନଙ୍କୁ ନିସ୍ତୁକ ମାଡମାରି ଖାଇବାକୁ ନଦେଇ ଗୋରୁଗାଇ ଭଳି ଖଟାଉଥିବା ସେ କହିିଛି । ବଣ୍ଟି କହିବା ଅନୁଯାୟୀ ଫକିରଙ୍କ ପୁଅ ସମେତ ଅନ୍ୟ ଦୁଇଜଣ ସେଠାରେ ଦଲାଲର ନଜରବନ୍ଦୀରେ ରହି ଅକଥନୀୟ ଅତ୍ୟାଚାରର ଶୀକାର ହୋଇ ଖାଦ୍ୟ ବିନା ଖଟୁଛନ୍ତି । ସେମାନଙ୍କ ଜୀବନ ପ୍ରତି ସେଠାରେ ବିପଦ ରହିଛି । ପିଲାମାନଙ୍କ ସହିତ କୈାଣସି ଯୋଗାଯୋଗ ସମ୍ଭବ ହେଉନି । ତେଣୁ ଏଭଳି ପରିସ୍ଥିତିରେ ସେଠାରୁ ପିଲାମାନଙ୍କୁ ତୁରନ୍ତ ଦଲାଲ କବଳରୁ ଉଦ୍ଧାର କରାଯିବାକୁ ଫକିର ମଲିକ, ଶଙ୍କର ମଲିକ, ସିଦ୍ଧାନ୍ତ ମଲିକଙ୍କ ସମେତ ସେହି ଗ୍ରାମର ମହିଳାମାନେ ଦାବି କରିଛନ୍ତି ।