ଆନ୍ତର୍ଜାତିକ ବଧିର ସପ୍ତାହ ଓ ସାଙ୍କେତିକ ଭାଷା ଦିବସ ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ବଧିର ସଂଘ ଏବଂ ବାଲେଶ୍ଵର ବଧିର ସଂଘ ମିଳିତ ଆନୁକୁଲ୍ୟରେ ଆଜି ଅପରାହ୍ନ ରେ ସହଦେବଖୁଣ୍ଟା ସ୍ଥିତ ରୟାଲ କୁଇନ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ବଧିର ସପ୍ତାହ ଓ ସାଙ୍କେତିକ ଭାଷା ସପ୍ତାହ ପାଳନ ହୋଇଯାଇଛି।ଏହି ଅବସରରେ ଏସପି ସାଗରିକା ନାଥ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ସଦର ବିଧାୟକ ସ୍ୱରୂପ କୁମାର ଦାସ,ମୁଖ୍ୟ ବକ୍ତା ଭାବେ କବି ପ୍ରଶାନ୍ତ ଦାସ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ମୁକ ବଧିର ତଥା ଦିବ୍ୟାଙ୍ଗ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରୀ ତଥା ବେସରକାରୀ ସ୍ତରରେ ପ୍ରୟାସ ଜରୁରୀ ବୋଲି ଅତିଥି ମାନେ ବକ୍ତବ୍ୟରେ କହିଥିଲେ।ବଧିର ସଂଘର ଜିଲ୍ଲା ସଭାପତି ସୁବିର କୁମାର ନାୟକ,ସମ୍ପାଦକ ପ୍ରଦୀପ୍ତ କିଶୋର ସାହୁ ବକ୍ତବ୍ୟରେ ବଧିର ମାନଙ୍କର ସମସ୍ୟା ସମ୍ପର୍କରେ କହିଥିଲେ।ସାଙ୍କେତିକ ଭାଷା ର ଅଧ୍ୟାପକ ସମୀର କୁମାର ନାୟକ ସଭା ପରିଚାଳନା କରିଥିଲେ। ସପ୍ତାହ ପାଳନ ଅବସରରେ ପୂର୍ବାହ୍ନରେ ଫକୀରମୋହନ ଗୋଲେଇ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ସହଦେବ ଖୁଣ୍ଟା ରୟାଲକୁଇନ ମଣ୍ଡପ ଠାରେ ପହଞ୍ଚିଥିଲା। ସଂଘର ସଦସ୍ୟ,ସଦସ୍ୟା ମାନଙ୍କ ଦ୍ଵାରା ଚିତ୍ରାଙ୍କନ, ରଙ୍ଗୋଲୀ ପ୍ରତିଯୋଗିତାରେ କୃତି ସଦସ୍ୟ,ସଦସ୍ୟା ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଏଥି ସହିତ ସଂଘ ତରଫରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।