ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ କମିଟି ବୈଠକ ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ନୃତ୍ୟ-ସଂଗୀତ-କଳା ମନ୍ଦିର ପରିସରରେ ଥିବା ନିଜସ୍ୱ କାର୍ଯ୍ୟାଳୟରେ ରବିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅକ୍ଟୋବର ପହିଲା ଦିନ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସକୁ ବାଲେଶ୍ୱରରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପାଳନ ପାଇଁ ଏହି ବୈଠକରେ ବିଶଦ ଆଲୋଚନା ହୋଇଛି । ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ ମଞ୍ଚର ବାର୍ଷିକ ମୁଖପତ୍ର ‘ସାୟାହ୍ନ’ରେ ପ୍ରକାଶ ନିମିତ୍ତ ମଞ୍ଚର ସଦସ୍ୟ ସଦସ୍ୟା ଓ ସାହିତ୍ୟିକ ବନ୍ଧୁମାନେ ବରିଷ୍ଠନାଗରିକମାନଙ୍କ ସମସ୍ୟା ଓ ତା’ର ନିରାକରଣ ସମ୍ପର୍କିତ ପ୍ରବନ୍ଧ, ଗଳ୍ପ ଓ କବିତା ପଠାଇବାକୁ ବୈଠକରେ ନିବେଦନ କରାଯାଇଛି । ମୁଖପତ୍ର ସଂପାଦନା ମଣ୍ଡଳୀରେ ସାଧାରଣ ସଂପାଦକ ଦାମୋଦର ନାୟକ, ଲକ୍ଷ୍ମୀନାରାୟଣ ଘୋଷ, ଗୌରାଙ୍ଗ ପାଣିଗ୍ରାହୀ, ଲକ୍ଷ୍ମୀପ୍ରିୟା ଜେନା ଓ ଡ. ଗୋବିନ୍ଦ ବିଶ୍ୱାଳଙ୍କୁ ମନୋନୀତ କରାଯାଇଛି । ଲେଖାଗୁଡ଼ିକ ସଂପାଦନାମଣ୍ଡଳୀର ଯେ କୌଣସି ସଦସ୍ୟ କିମ୍ବା ଜିଲ୍ଲା କାର୍ଯ୍ୟାଳୟ ଠିକଣାରେ ଚଳିତ ସେପ୍ଟେମ୍ବର ମାସ ୧୫ ତାରିଖ ସୁଦ୍ଧା ପଠାଇବାକୁ ଅନୁରୋଧ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ ପ୍ରଧାନ, ବେଣୁଧର ସାହୁ, ବିଷ୍ଣୁ ମହାନ୍ତି, ସୀତାରାମ ପ୍ରଧାନ, ଗୋପୀନାଥ ଦାସ, ଜ୍ଞାନେନ୍ଦ୍ର ମିଶ୍ର, ନିରଞ୍ଜନ ପରିଡ଼ା ଓ ଯଶୋଦାନନ୍ଦନ ଆଶ୍ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ପାତ୍ର ଧନ୍ୟବାଦ ଦେଇଥିଲେ ।


