ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୩ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୩ ପାଳନ ହୋଇଯାଇଛି I ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଲ ମୋତିରାମ ଚହ୍ୱାନ, ସଭାପତି, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ, ବାଲେଶ୍ୱର ଶ୍ରୀଯୁକ୍ତ ବୈଦ୍ୟନାଥ ଷଡ଼ଙ୍ଗୀ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଓ ପରାମର୍ଶଦାତା, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ, ଶ୍ରୀଯୁକ୍ତ ଗିରୀଶ ଚନ୍ଦ୍ର ଦାସ, ଉପସଭାପତି, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପ୍ରଧାନ, ସମ୍ପାଦକ, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ, ଶ୍ରୀଯୁକ୍ତ ଦାମୋଦର ନାୟକ ଓ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ଅତିଥି ଭାବେ ଯୋଗ ଦେଇଥିଲେ I ବୈଠକ ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ତଥା ସାଧାରଣ ସମ୍ପାଦକ, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ, ସ୍ବର୍ଗତ ଲକ୍ଷ୍ମୀଧର ବେହେରାଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା I ଏହି ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଡିଓ ବାର୍ତ୍ତା ପରିବେଷଣ କରାଯାଇଥିଲା I ବରିଷ୍ଠ ନାଗରିକଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ଯଥା ସାମାଜିକ ସୁରକ୍ଷା ନିମନ୍ତେ ମଧୁବାବୁ ପେନସନ ଯୋଜନାରେ ମାସିକ ଭତ୍ତା ପ୍ରଦାନ, ତୀର୍ଥ ଯାତ୍ରା ବ୍ୟବସ୍ଥା, ଜରାଶ୍ରମଗୁଡିକରେ ବରିଷ୍ଠ ନାଗରିକମାନଙ୍କ ଉପଯୁକ୍ତ ସେବା ଯତ୍ନ ଆଦି ସହିତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା, ରାଜ୍ୟରେ ପ୍ରତିଷ୍ଠିତ ସମନ୍ବିତ ଭିତ୍ତିଭୂମି କେନ୍ଦ୍ରଗୁଡିକରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବିଭିନ୍ନ ସୁବିଧା, ବାର୍ଦ୍ଧକ୍ୟଜନିତ ଅକ୍ଷମତା ଦୂର ପାଇଁ ଫିଜିଓଥେରାପି କେନ୍ଦ୍ର ଆଦି ବିଷୟରେ ଅତିଥିମାନେ ଆଲୋଚନା କରିଥିଲେ I ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ପାଇଁ ଖୁବ ଶୀଘ୍ର ପରିଚୟ ପତ୍ରର ବ୍ୟବସ୍ଥା କରାଯିବା ପାଇଁ ପ୍ରତିଶୃତି ଦେବା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଯୋଜନାଗୁଡିକ ସହଜରେ ଯେପରି ସେମାନଙ୍କ ପାଖରେ ପହଞ୍ଚିପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ ତତ୍ପର ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଆଲୋକପାତ କରିଥିଲେ I ସଭାରେ ଅତିଥିଙ୍କ ଦ୍ୱାରା ମୁଖପାତ୍ର ‘ସାୟାହ୍ନ’ ର ଉନ୍ମୋଚନ କରାଯିବା ସହିତ ଜିଲ୍ଲାର ୫ ଜଣ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯାଇଥିଲା I ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ୩ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ପୁଷ୍ପଲତା ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ I ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I
ପ୍ରକାଶ ଥାଉକି, ଏହି ଦିବସରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଯୋଗ ଶିକ୍ଷା ଶିବିର ଆୟୋଜିତ କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ