ଆନ୍ଦୋଳନକାରୀ ଆଇନଜୀବୀଙ୍କୁ ବାର୍ କାଉନସିଲ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ : ତୁରନ୍ତ କାର୍ଯ୍ୟରେ ଯୋଗଦିଅ

କଟକ : ଆଇନଜୀବୀ ଆନ୍ଦୋଳନକୁ ନେଇ ବାର୍ କାଉନସିଲ ଅଫ ଇଣ୍ଡିଆ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତୁରନ୍ତ ଆନ୍ଦୋଳନରୁ ଓହରିବାକୁ ନିର୍ଦ୍ଦେଶ ଦେବା ସହିତ ଏଥିରେ ବିଫଳ ହେଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି । ଆନ୍ଦୋଳନରୁ ନ ଓହରିଲେ ନିଲମ୍ବିତ ହେବେ ଅଥବା କର୍ମକର୍ତ୍ତା ଆଗକୁ କୌଣସି ନିର୍ବାଚନ ଲଢିବାରୁ ଅଯୋଗ୍ୟ ହେବେ । ଏହି ନିର୍ଦେଶ ପାଳନ ହୋଇଛି କି ନାହିିଁ, ତାହା ଆସନ୍ତା ୩ ତାରିଖ ସୁଦ୍ଧା ବାର କାଉନସିଲକୁ ଅବଗତ କରାଇବା ଲାଗି କୁହାଯାଇଛି ।
ବାର୍ କାଉନସିଲ ଅଫ ଇଣ୍ଡିଆ ଏ ନେଇ ହାଇକୋର୍ଟ ବାର୍ ଆସୋସିଏସନ୍, ସମ୍ବଲପୁର ବାର୍ ଆସୋସିଏସନ୍, ଭୁବନେଶ୍ୱର ବାର୍ ଆସୋସିଏସନ ସମେତ ୬୮ଟି ବାର୍ ଆସୋସିଏସନର ସଭାପତି ଓ ସଂପାଦକଙ୍କୁ ଚିଠି ଲେଖିଛନ୍ତି । ୨୦୧୯ ଅକ୍ଟୋବର ୨୪ରେ ଓଡ଼ିଶାରେ ଆଇନଜୀବୀ ଆନ୍ଦୋଳନ ପ୍ରସଂଗକୁ ସୁପ୍ରିମକୋର୍ଟ ଗୁରୁତ୍ୱର ସହିତ ନେଇଥିବା ବେଳେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ଭାବେ ନଭେମ୍ବର ୮ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରସଂଗକୁ ନେଇ ବାର୍ କାଉନସିଲ ଅଫ୍ ଇଣ୍ଡିଆ ବୈଠକରେ ଆଲୋଚନା କରାଯାଇ କେତେକ ପ୍ରସ୍ତାବ ଗ୍ରହଣ କରାଯାଇଛି । ପ୍ରସ୍ତାବ ସଂପର୍କରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ ସମେତ ରାଜ୍ୟର ୬୮ଟି ବାରକୁ ଅବଗତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ୬୮ଟି ବାର୍ ଆସୋସିଏସନକୁ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଆଇନଜୀବୀଙ୍କ ସ୍ୱାର୍ଥ ତଥା ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି ପ୍ରସ୍ତାବ ଗ୍ରହଣ କରିଛି । ଆଇନଜୀବୀ ଆନ୍ଦୋଳନ ଯୋଗୁଁ କୋର୍ଟର ବହୁ ମୂଲ୍ୟବାନ କାର୍ଯ୍ୟ ଦିବସ ନଷ୍ଟ ହେଉଛି । ଗରିବ ମହକିଲ ଏଥି ଯୋଗୁ କଷ୍ଟ ପାଉଛନ୍ତି ଓ ବିପୁଳ କ୍ଷତି ହେଉଛି । ଏପରି ପରିସ୍ଥିତିରେ ଅଯଥା, ଅଯୌକ୍ତିକ ଓ ଭିତ୍ତିହୀନ କୋର୍ଟ ବର୍ଜନ ଦିନକ ପାଇଁ ମଧ୍ୟ ଗ୍ରହଣୀୟ ନୁହେଁ । ତେଣୁ ହାଇକୋର୍ଟ ବାର୍ ଆସୋସିଏସନ ସମେତ ଓଡ଼ିଶାର ଅନ୍ୟ ଆଇନଜୀବୀ ସଂଘକୁ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦେବା ପାଇଁ କୁହାଯାଇଛି ।
ଏହି ନିର୍ଦ୍ଦେଶ ଯଦି ପାଳନ କରିବାରେ ରାଜ୍ୟ ଆଇନଜୀବୀ ପରିଷଦ ବା ଅନ୍ୟ କୌଣସି ବାର ଆସୋସିଏସନ୍ ବା କର୍ମକର୍ତ୍ତା ବିଫଳ ହୁଅନ୍ତି, ତେବେ ୨୦୧୫-୧୬ର ତାମିଲନାଡୁ ଘଟଣା ଭଳି ସେମାନଙ୍କ ବିରୋଧରେ ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତାମିଲନାଡୁ ଘଟଣାରେ ଏପରି ଆଇନଜୀବୀଙ୍କୁ ନିଲମ୍ବିତ କରାଯାଇଥିଲା । ଏଥି ସହିତ ଯଦି ଦୋଷ ସବ୍ୟସ୍ତ ହୁଏ ତେବେ ଏପରି ଆଇନଜୀବୀନେତାଙ୍କୁ ଭବିଷ୍ୟତରେ କୌଣସି ପ୍ରକାର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାରୁ କାଉନସିଲ ଅଯୋଗ୍ୟ ଘୋଷଣା କରି ପାରିବ । ସେମାନଙ୍କୁ ମଧ୍ୟ ଅଫିସରୁ ଅନ୍ତର କରାଯାଇ ପାରିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏପରି ପ୍ରସ୍ତାବ ଉପରେ ପଦକ୍ଷେପ ନେଇ ନଭେମ୍ବର ୩ ତାରିଖ ସୁଦ୍ଧା ବାର କାଉନସିଲ ଅଫ ଇଣ୍ଡିଆକୁ ଅବଗତ କରିବା ପାଇଁ ସବୁ ବାର୍ ଆସୋସିଏସନକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ବିଚାରପତି ନିଯୁକ୍ତି ପ୍ରସଂଗକୁ ନେଇ ଅକ୍ଟୋବର ୧୪ରୁ ହାଇକୋର୍ଟର ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ପ୍ରସଂଗ ନେଇ ଆଇନଜୀବୀ ଆନ୍ଦୋଳନ ଚାଲିଛି । ଅକ୍ଟୋବର ୨୪ରେ ଏ ସଂପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଓ ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତିଙ୍କୁ ନଭେମ୍ବର ୮ରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ୨୦୧୮-୧୯ ବର୍ଷରେ ହାଇକୋର୍ଟ ଓ ରାଜ୍ୟର ପ୍ରତି ଜିଲ୍ଲା ଅଦାଲତରେ କେତେ ସଂଖ୍ୟକ କାର୍ଯ୍ୟ ଦିବସ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଯୋଗୁ ନଷ୍ଟ ହୋଇଛି ସେ ନେଇ ସତ୍ୟପାଠ ଦାଖଲ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଅବଧି ମଧ୍ୟରେ କେଉଁ କାରଣରୁ ଆଇନଜୀବୀଙ୍କ ଅନ୍ଦୋଳନ ଓ କୋର୍ଟ ବର୍ଜନ ଜାରି ରହିଛି ସେ ନେଇ ସତ୍ୟପାଠରେ ଉଲ୍ଲେଖ କରିବା ପାଇଁ ସୁପ୍ରିମକୋର୍ଟ କହିଥିଲେ । ଅନ୍ୟପକ୍ଷରେ ପରବର୍ତ୍ତୀ ଶୁଣାଣି ସମୟରେ ବାର୍ କାଉନସିଲ ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ସୁପ୍ରିମକୋର୍ଟଙ୍କୁ ସହଯୋଗ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ