ଆନ୍ଦୋଳନର ଚେତାବନୀ ଦେଲା ଶ୍ରମିକ ସଂଘ ଏଆଇଟିୟୁସି
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ରେ ଥିବା କେତେ ଗୁଡିଏ ଖଣି ଗୁଡିକର ନିଲାମ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଅନ୍ୟ କେତେ ଗୁଡିକର ନିଲାମ ପ୍ରକ୍ରିୟା ଆଗକୁ ରହିଛି । ଇତି ମଧ୍ୟରେ ଖଣି ନିଲାମ ଦ୍ୱାରା କେବଳ ସିରାଜୁଦ୍ଦିନ୍ କମ୍ପାନୀ ତାର ବଳଦା ଖଣି ଓ କେ.ଏନ. ରାମ୍ କମ୍ପାନୀ ରୋଇଡା ଖଣିକୁ ପୁନଃ ନିଜ ଅଧିନକୁ ଆଣିବାରେ ସଫଳ ହୋଇଛି । ଅନ୍ୟ ସବୁ ବଡ ବଡ ଖଣି ତଥା କେଜେ୍ଏସ୍ ଆହାଲୁଓାଲିଆ ନୂଆଗାଁ ଲୌହ ଖଣି ଓ ରୁଙ୍ଗଟାର ଜଜାଙ୍ଗ ଖଣି ଜେଏସଡବ୍ଲୁ କମ୍ପାନୀକୁ ମିଳିଥିବା ବେଳେ ଏସେଲ୍ ମାଇନିଂର ଜିଲିଂ ଖଣି ଶ୍ୟାମ୍ ସେଲ୍ ଏବଂ କେ.ପି ମିନେରାଲ୍ସର ଠାକୁରାଣୀ ଖଣି ଆର୍ସେଲର ମିତଲ କମ୍ପାନୀକୁ ମିଳିଛି । ପୁନଃ ଲିଜ୍ ପାଇନଥିବା ସମସ୍ତ ଖଣି କମ୍ପାନୀ ମାନେ ନିଜ ନିଜର ଶ୍ରମିକମାନଙ୍କୁ ଛଟେଇ କରିବା ପାଇଁ ନୋଟିସ ଜାରି କରିଥିବା ବେଳେ ବର୍ତମାନ ଖଣିରେ କାର୍ଯ୍ୟରତ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ସରକାରଙ୍କ ପକ୍ଷରୁ ନୂତନ ଲିଜ୍ ପାଇଥିବା କମ୍ପାନୀମାନଙ୍କୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ । ତେଣୁ ହଜାର ହଜାର ଶ୍ରମିକ ସେମାନଙ୍କର କର୍ମ ସଂସ୍ଥାନ ହରାଇବାର ଆଶଙ୍କା ଦେଖାଦେଇଛି । ରାଜ୍ୟ ସରକାର ନୂତନ ଲିଜ୍ ଧାରୀମାନଙ୍କୁ କାର୍ଯ୍ୟାଦେଶ ଦେବା ସମୟରେ ସମସ୍ତ କାର୍ଯ୍ୟରତ ଶ୍ରମିକମାନଙ୍କୁ ନିଯୁକ୍ତିର ସର୍ତ ରଖିବା ପାଇଁ ଏଆଇଟିୟୁସି ପକ୍ଷରୁ ଦାବି କରାଯାଇଛି । ଏଣୁ ଖଣିରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ଶ୍ରମିକ ସଂଘ ଏଆଇଟିୟୁସି ପକ୍ଷରୁ ଜିଲାରେ ବ୍ୟାପକ ଆନ୍ଦୋଳନ କରାଯିବାର ପ୍ରସ୍ତୁତି କରାଯାଉଥିବା ଏଆଇଟିୟୁସିର ରାଜ୍ୟ ସଂପାଦକ ମହେଶ୍ୱର ରାଉତ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ କି, ଯୋଡା ଖଣି ମଣ୍ଡଳର ବିଭିନ୍ନ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି କରି ସ୍ଥାନୀୟ ଅଂଚଳରେ ଥିବା ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯିବାର ଆଶଙ୍କା ଦେଇଖାଦେଇଛି । ତେଣୁ ସରକାର ଏଥିପ୍ରତି ଯତ୍ନବାନ ନହେଲେ ଅଂଚଳରେ ନିଯୁକ୍ତି ପାଇଁ ହିଂସାତ୍ମକ ପରିବେଶ ସୃଷ୍ଟି ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।