ଆଭାସିରେ କେନ୍ଦ୍ରୀୟ ଯୋଜନା ହିତାଧିକାରୀମାନଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ବାଲେଶ୍ୱର, (ସରୋଜ ପଣ୍ଡା) :-କେନ୍ଦ୍ର ସରକାରଙ୍କ ସହାୟତାରେ ଦେଶରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସିରେ ଉଦବୋଧନ ଦେବା ସହିତ ସେମାନଙ୍କ ସହ କଥାବାର୍ତା କରିଛନ୍ତି । ଆଜି ହିମାଚଳ ପ୍ରଦେଶ ରାଜଧାନୀ ସିମଳାଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ପହଂଚି ସେଠାରେ ଆୟୋଜିତ ଗରୀବ କଲ୍ୟାଣ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ଏବଂ ଦେଶର ବିଭିନ୍ନ ଭାଗରେ ଉପସ୍ଥିତ ହିତାଧିକାରୀମାନଙ୍କୁ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ଦ୍ୱାରା ସେମାନଙ୍କୁ ମିଳିଥିବା ଲାଭ ଓ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ହିତାଧିକାରୀମାେନେ ଏହି ସବୁ ଯୋଜନା ଦ୍ୱାରା ସେମାନଙ୍କ ଜୀବନରେ ଆସିଥିବା ପରିବର୍ତନ ସମ୍ପର୍କରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । ସିମଳାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଉଦବୋଧନକୁ ସମଗ୍ର ଦେଶର ହିତାଧିକାରୀମାନେ ସିଧାସଳଖ ଦେଖିବାର ସୁଯୋଗ ପାଇବା ସହିତ ଆଭାସିରେ ତାଙ୍କ ସହ ଯୋଡି ହୋଇଥିବା ବେଳେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାର ହିତାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ପିଏମ-କିଶାନ ଯୋଜନାରେ ଦେଶର ପ୍ରାୟ ୧୦ କୋଟି ଚାଷୀ ପରିବାରଙ୍କ ବ୍ୟାଙ୍କ ଆକାଉଂଟକୁ ୨୧ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ସୁନିଧି ଯୋଜନା, ଅଟଳ ପେନସନ୍ ଯୋଜନା, ମାତୃବନ୍ଦନା ଯୋଜନା, ପୋଷଣ ଅଭିଯାନ, ସ୍ୱଚ୍ଛ ଭାରତ ମିଶନ, ଜଳଜୀବନ ମିଶନ ଓ ଅମୃତ ଯୋଜନା, ଏକ ଦେଶ-ଏକ ରାସନ କାର୍ଡ ଯୋଜନା, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଇତ୍ୟାଦିର କାର୍ଯ୍ୟକାରିତା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ଓ ତାହାର ସଫଳତା ଉପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ଏହା ଦ୍ୱାରା ଗରୀବ ଜନସାଧାରଣଙ୍କ ଜୀବନଧାରଣର ମାନରେ ବ୍ୟାପକ ପରିବର୍ତନ ଆସି ପାରିଛି ଏବଂ ଆମ ଦେଶ ଏବେ ବିଶ୍ୱରେ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ପାଇପାରିଛି ବୋଲି ସେ କହିଥିଲେ । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ଏବେ ସିଧାସଳଖ ଅର୍ଥରାଶି ଯାଉଥିବାକୁ ଭ୍ରଷ୍ଟାଚାର ବହୁମାତ୍ରାରେ କମିପାରିଥିିବା ସେ ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ନୀଳଗିରି ବିଧାୟକ ଶ୍ରୀ ସୁକାନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ସଭାପତି ଶ୍ରୀ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଉପସଭାପତି ଶ୍ରୀମତୀ ଅନସୂୟା ପ୍ରଧାନ, ମାନ୍ୟବର ଭଦ୍ରକ ସାଂସଦଙ୍କ ପ୍ରତିନିଧି ଶ୍ରୀ ଅଶ୍ୱିନୀ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ, ପୌରାଂଚଳ ଓ ଏନଏସି ଅଧ୍ୟକ୍ଷ-ଅଧ୍ୟକ୍ଷା, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ