ଆମେରିକାଠାରୁ ଆଗରେ ଚୀନ୍‌, ୨୦୨୫ ସୁଦ୍ଧା ଦ୍ୱତୀୟ ସ୍ଥାନରେ ଭାରତ

ଭୁବନେଶ୍ୱର,(ୱାଇଏନ୍ଏସ୍): କରୋନା ମହାମାରୀ ବିଶ୍ବର ଅର୍ଥ‌ନୈତିକ ଅଭିବୃଦ୍ଧିରେ ବଡ଼ ଧରଣର ପରିବର୍ତ୍ତନ ଆଣିବ। ଚୀନରୁ ଏହି ମହାମାରୀ ଆରମ୍ଭ ହୋଇଥିଲେ ମଧ୍ୟ ଏହି ଦେଶ ଆର୍ଥିକ ଦୃଷ୍ଟିରୁ ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଆମେରିକା ପଛରେ ପଡ଼ିଯିବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ତଥ୍ୟକୁ ବିଶ୍ଳେଷଣ କରିବା ପରେ ଏଭଳି ସିଦ୍ଧାନ୍ତରେ ବ୍ଲୁମବର୍ଗ ପହଞ୍ଚିଛି । ଏହି ରିପୋର୍ଟରେ କୁହାଯାଇଛି, ୨୦୨୧ରେ ବିଶ୍ୱର ମୋଟ ଅର୍ଥନୈତିକ ଅଭିବୃଦ୍ଧିରେ ଚୀନର ଯୋଗଦାନ ୨୬.୮ ପ୍ରତିଶତ ରହିବ। ୨୦୨୫ ମସିହା ବେଳକୁ ଏହା ୨୭.୭ ପ୍ରତିଶତକୁ ବୃଦ୍ଧି ପାଇବ। କିନ୍ତୁ ଏହି ସମୟରେ ଆମେରିକାର ଯୋଗଦାନ ଯଥାକ୍ରମ‌େ ୧୧.୬ ପ୍ରତିଶତ ଏବଂ ୧୦.୪ ପ୍ରତିଶତ ରହିବ । ଅର୍ଥାତ ଆମେରିକା ତୁଳନାରେ ଚୀନର ଯୋଗଦାନ ଯଥାକ୍ରମେ ୧୫ ଏବଂ ୧୭ ପ୍ରତିଶତ ଅଧିକ ରହିବ। ଭାରତ, ଜର୍ମାନୀ ଏବଂ ଇଣ୍ଡୋନେସିଆ ଯଥାକ୍ରମେ ବିଶ୍ୱର ୫ଟି ବୃହତ୍ ଅଭିବୃଦ୍ଧି ହାସଲକାରୀ ଦେଶଭାବେ ପରିଗଣିତ ହେବେ । ଏହି ଆକଳନରେ ଏହା ଦର୍ଶାଯାଇଛି ଯେ, ୨୦୨୧ରେ ଭାରତର ଯୋଗଦାନ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧିରେ ୧୦.୨ ପ୍ରତିଶତ ରହିବ । ଆମେରିକା ପଛକୁ ଭାରତ ଏ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିବ। କିନ୍ତୁ ୨୦୨୫ ବେଳକୁ ସମୀକରଣ ବଦଳିଯିବ। ୧୩ ପ୍ରତିଶତ ଯୋଗଦାନ ସହିତ ଭାରତ ଦ୍ବିତୀୟ ସ୍ଥାନ ହାସଲ କରିବ। ଭାରତ ପଛକୁ ଆମେରିକା ତୃତୀୟ ସ୍ଥାନରେ ରହିବ। କରୋନା ମହାମାରୀ ଯୋଗୁଁ ବିଶ୍ୱର ଅର୍ଥନୈତିକ ଅଭିବୃଦ୍ଧିରେ ଯେଉଁ ସଙ୍କୋଚନ ହେବ ସେଥିପାଇଁ ଅତିମାତ୍ରାରେ ଗରିବ ବର୍ଗର ଲୋକଙ୍କ ସଂଖ୍ୟା ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବୃଦ୍ଧି ପାଇବ। କ୍ରମାଗତଭାବେ ଉତ୍ପାଦନ ହ୍ରାସ ଦ୍ୱାରା ପ୍ରାକ୍ କରୋନା ସମୟ ତୁଳନାରେ ଲୋକଙ୍କ ଜୀବନ ଧାରଣ ମାନ ଖରାପ ରହିବ। ଗରିବ ଲୋକମାନେ ଅଧିକ ଗରିବ ହେବାରେ ଲାଗିଛନ୍ତି। ଚଳିତବର୍ଷ ପାଖାପାଖି ୯ କୋଟି ଲୋକ ଅତି ଗରିବ ବର୍ଗରେ ସାମିଲ ହେବେ ବୋଲି ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି । ଚଳିତବର୍ଷ ବିଶ୍ୱର ଅର୍ଥନୈତିକ ଅଭିବୃଦ୍ଧି ୪.୪ ପ୍ରତିଶତ ସଙ୍କୁଚିତ ହେବ ବୋଲି ଆଇଏମଏଫ ନିକଟରେ ଆକଳନ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ