ଆମେରିକାରେ ଆର୍ଥିକ ସ୍ଥିତି ଗମ୍ଭୀର

ଟେକ୍ସାସ: କୋରୋନା ସଂକ୍ରମଣ ଯୋଗୁ ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକାର ଆର୍ଥିକ ସ୍ଥିତି ଗୁରୁତର ପ୍ରଭାବିତ ହୋଇଛି। କୋରୋନା ସଂକ୍ରମଣ ଜନିତ ଲକ୍‌ଡାଉନ ପାଇଁ ଆମେରିକାରେ ଅନେକ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନରେ ତାଲା ପଡିଛି। ସମସ୍ତ ଗ୍ରାମାଞ୍ଚଳ ରେସ୍ତୋରାଁ ବନ୍ଦ ହେବା ସହ କର୍ମଚାରୀ ଛଟେଇ ହୋଇଛନ୍ତି। ଆମେରିକାର ଦକ୍ଷିଣ ସୀମାନ୍ତରେ ଅବସ୍ଥିତ ଟେକ୍ସାସ ରାଜ୍ୟର ଲରେଡୋ ସହରରେ ହଜାର ହଜାର ଲୋକ କୋରୋନା ଯୋଗୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଏହି ସହରରେ ଏପର୍ଯ୍ୟନ୍ତ କୋରୋନାରେ କେହି ମରି ନ ଥିବାବେଳେ ମାତ୍ର ୯ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ମହାମାରୀ ଯୋଗୁ ସରକାର ବ୍ୟବସାୟିକ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ସହ ଲୋକମାନଙ୍କୁ ଘରେ ରହିବା ଲାଗି ନିର୍ଦେଶ ଦେଇଥିବାରୁ ଆମେରିକାର ସବୁଠୁ ଗରିବ ସହର ଲରେଡୋରେ ଆର୍ଥିକ ଦୁଃସ୍ଥିତି ଦେଖାଦେଇଛି। ଦାରିଦ୍ର୍ୟ ଯୋଗୁ ସେଠାର ଜନସାଧାରଣ ନିଜକୁ ଆଇସୋଲେସନରେ ରଖିବା କିମ୍ବା ଉପଯୁକ୍ତ ଚିକିତ୍ସା ସେବା ଉପଲବ୍ଧ କରାଇବା କଷ୍ଟକର ହୋଇପଡିଛି ବୋଲି ମେରିଲାଣ୍ଡ ୟୁନିଭର୍ସିଟିର ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ପ୍ରଫେସର ସାନ୍ଦ୍ରା କ୍ୱିନ୍‌ କହିଛନ୍ତି।
କୋରୋନା ସଂକ୍ରମଣ ପୂର୍ବରୁ ଓ୍ବେବ୍‌ କାଉଣ୍ଟିରେ ବେକାରି ହାର ଜାନୁଆରୀରେ ୪.୧ ପ୍ରତିଶତ ଥିଲା, ଯାହାକି ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ। ଏବେ ଲକ୍‌ଡାଉନ ଯୋଗୁ ବହୁ ସଂଖ୍ୟାରେ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଏଥିସହିତ ଏହି ଅଞ୍ଚଳର ଅଧିକାଂଶ ଲୋକ ପରିବହନ ଉପରେ ନିର୍ଭର କରୁଥିବାବେଳେ ମେକ୍ସିକୋ ଓ ଆମେରିକା ସରକାର ସଂକ୍ରମଣ ଭୟରେ ସୀମା ସିଲ୍‌ କରିଦେଇଥିବାରୁ ସେମାନଙ୍କୁ ରୋଜଗାର ହରାଇବାକୁ ପଡ଼ିଛି। ଶସ୍ତା ଚିକିତ୍ସା ସେବା ପାଇଁ ଅଧିକାଂଶ ମେକ୍ସିକୋ ଉପରେ ନିର୍ଭର କରୁଥିବାବେଳେ କୋରୋନା ପାଇଁ ସେଠାକୁ ଯାତାୟାତ ବନ୍ଦ କରିଦିଆଯାଇଛି। କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଚିକିତ୍ସା ସେବା ଲାଗି ସହାୟତା କେଉଁଠୁ ପାଇବେ ଏନେଇ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ