ଆମେରିକାରେ କମୁଛି ଅଶୋଧିତ ତୈଳ ଦର
ଓ୍ବାଶିଂଟନ: କୋରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ବହୁ ଦେଶରେ ଲକଡାଉନ ଯୋଗୁ ଧୀରେ ଧୀରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏପରିସ୍ଥଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିବାରେ ଲାଗିଛି। ଆମେରିକାରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦାମ ୩୭.୬୩ ଡଲାର ରହିଛି। ଫଳରେ ଅଶୋଧିତ ତୈଳ ଦାମ ଟଏଲେଟ୍ ପେପରଠାରୁ ବି କମ ରହିଛି। ଏବେ ଏହି ଖବର ଟ୍ବିଟର ଏବଂ ଅନ୍ୟ ସୋସାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଲକଡାଉନ ଯୋଗୁ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି। ଫଳରେ ପେଟ୍ରୋଲ ଏବଂ ଡିଜେଲ୍ ବିକ୍ରି କମିବାରେ ଲାଗିଛି। ଅପରପକ୍ଷରେ ସାମାଜିକ ଦୂରତା ବଜାୟ ରଖିବା ଏବଂ ଗହଳି କମାଇବା ଲାଗି ବିଭିନ୍ନ ଦେଶରେ ଗାଡ଼ିମୋଟର ଅପେକ୍ଷା ସାଇକେଲ ଚଳାଇ ଅବା ଚାଲିଚାଲି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏପରି କାର୍ଯ୍ୟକଳାପର ନକାରାତ୍ମକ ପ୍ରଭାବ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ କାରବାର ଉପରେ ପଡୁଥିବା କୁହାଯାଉଛି।


