ଆମେରିକାରେ ଲକଡାଉନ ଅବଧିକୁ ଏପ୍ରିଲ୍ ୩୦ ଯାଏ ବଢ଼ାଇଲେ ଟ୍ରମ୍ପ୍

ୱାଶିଂଟନ୍: ଆମେରିକାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ ଊର୍ଦ୍ଧ୍ବରେ ପହଞ୍ଚିଥିବା ବେଳେ ଏଠାରେ ଲକଡାଉନ୍ ଅବଧିକୁ ବଢ଼ାଇ ଦିଆଯାଇଛି। ଆସନ୍ତା ଏପ୍ରିଲ୍ ୩୦ ତାରିଖ ପର୍ଯନ୍ତ ଆମେରିକା ଲକଡାଉନଜନିତ କଟକଣା ଜାରି ରହିବ ବୋଲି ରବିବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିଛନ୍ତି। ଦେଶରେ ସ୍ବାସ୍ଥ୍ୟସେବା ସହ ଜଡ଼ିତ ବିଶେଷଜ୍ଞମାନେ ଆଗାମୀ ଦିନରେ ଆମେରିକାରେ ସ୍ଥିତି ଭୟାବହ ହେବ ବୋଲି ପୂର୍ବାନୁମାନ କରିଛନ୍ତି। ସେମାନଙ୍କ ମତରେ ଯଥେଷ୍ଟ ପ୍ରଭାବଶାଳୀ ପଦକ୍ଷେପ ନିଆ ନ ଗଲେ, ଆମେରିକାରେ ଖୁବଶୀଘ୍ର ମୃତକଙ୍କ ସଂଖ୍ୟା ଏକ ଲକ୍ଷ ଛୁଇଁବ। ଏପରିକି ଏହି ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ ବୋଲି ମଧ୍ୟ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସେମାନଙ୍କ ଏହି ଆଶଙ୍କା ପରିପ୍ରେକ୍ଷୀରେ ଟ୍ରମ୍ପ୍ କଠୋର ନିଷ୍ପତ୍ତି ପୂର୍ବକ ଆସନ୍ତା ଏପ୍ରିଲ୍ ୩୦ ତାରିଖ ଯାଏଁ ଲକଡାଉନ୍ ଅବଧିକୁ ବଢ଼ାଇ ଦେଇଛନ୍ତି। ଏଥିସହ କିଛି ଦିନ ତଳେ ଦେଶରେ ଅଳ୍ପ ସପ୍ତାହ ଭିତରେ ପରିସ୍ଥିତି ସ୍ବାଭାବିକ ହେବ ଓ ସବୁକିଛି ପୂର୍ବବତ୍ ଚାଲିବ ବୋଲି କହୁଥିବା ଟ୍ରମ୍ପଙ୍କ ସବୁ ବାହାଦୁରୀ ପଦାରେ ପଡ଼ିଯାଇଛି।
ପୂର୍ବରୁ ଟ୍ରମ୍ପ୍ ଦେଶରେ ମାର୍ଚ୍ଚ ୩୦ ତାରିଖ ଯାଏଁ ୧୫ଦିନିଆ ଲକଡାଉନ୍ ଘୋଷଣା କରିଥିଲେ। ସୋମବାର ଏହି ଅବଧି ପୂରିଯିବା ପରେ ସେ ଏହାକୁ ପୁନର୍ବାର ବଢ଼ାଇଛନ୍ତି। ଦେଶରେ କମ୍ ପ୍ରଭାବିତ ଅଞ୍ଚଳରେ ଲକଡାଉନଜନିତ କଟକଣାକୁ ହ୍ରାସ କରିବା ପାଇଁ ଟ୍ରମ୍ପ୍ ଚିନ୍ତା କରିଥିଲେ ହେଁ ଦେଶର ସାମ୍ପ୍ରତିକ ସ୍ଥିତି ପରିପ୍ରେକ୍ଷୀରେ ସେ ଅଧିକ କଠୋର ହୋଇଛନ୍ତି। ଏନେଇ ରବିବାର ରୋଜ୍ ଗାର୍ଡେନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳୀନରେ ଟ୍ରମ୍ପ୍ କହିଛନ୍ତି ଯେ ସାମାଜିକ ଦୂରତ୍ବ ବଜାୟ ନ ରଖିଲେ, ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା୨.୨ ନିୟୁତରୁ ଅଧିକ ହୋଇଯିବ। ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେରିକା ଯଦି କୋରୋନା ଜନିତ ମୃତ୍ୟୁସଂଖ୍ୟାକୁ ଲକ୍ଷେ ଭିତରେ ସୀମିତ ରଖିବ, ତାହା ବି ବହୁତ ବଡ଼ ସଫଳତା ହେବ ବୋଲି ଟ୍ରମ୍ପ୍ କହିଛନ୍ତି। ସୂଚନାଯୋଗ ଦେଶରେ କୋରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଟ୍ରମ୍ପ୍ କଦାପି ଆକ୍ରାନ୍ତ କି ମୃତ୍ୟୁସଂଖ୍ୟା ନେଇ ସୂଚନା ଦେବାକୁ ପଶ୍ଚାତପଦ ହୋଇଆସିଥିଲେ ହେଁ ରବିବାର ବିଶେଷଜ୍ଞଙ୍କ ପୂର୍ବାନୁମାନରେ ଏକରକମ ଭୟଭୀତ ହୋଇପଡ଼ିଥିବା ପ୍ରତୀୟମାନ ହୋଇଛି। ତେବେ ଆଜି ଯାଏଁ ଦେଶରେ କୋରୋନାକୁ ରୋକିବା ସକାଶେ ନିଆଯାଇଥିବା ନିଷ୍ପତ୍ତିକୁ ଟ୍ରମ୍ପ୍ ପ୍ରଭାବଶାଳୀ ପ୍ରମାଣିତ ହୋଇଥିବା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ