ଆମେରିକା ଦୂତାବାସ ଉପରେ ପୁଣି ରକେଟ ଆକ୍ରମଣ କଲା ଇରାନ୍
ବାଗଦାଦ :- ଇରାକର ରାଜଧାନୀ ବାଗଦାଦସ୍ଥିତ ଆମେରିକା ଦୂତାବାସ ଉପରେ ରବିବାର ପୁଣି ରକେଟ ଆକ୍ରମଣ ହୋଇଛି । ଆମେରିକା ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ କେତୋଟି ରକେଟମାଡ କରାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ । ଏଥିରେ କେହି ମୃତାହତ ହୋଇଥିବା କଥା ଆମେରିକା ଜଣାଇ ନାହିଁ । ରକେଟ୍ ମାଡ଼ ହୋଇଥିବା କ୍ଷୟକ୍ଷତି ବିଷୟରେ ମଧ୍ୟ ଆମେରିକୀୟ ସରକାରୀ କର୍ତ୍ତୃପକ୍ଷ କିଛି କହିନାହାନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ପାଖରେ ଥିବା ସାମରିକ ବେସ୍ରେ ଇରାନ୍ ସମର୍ଥିତ ଆତଙ୍କବାଦୀମାନେ ରକେଟ୍ ମାଡ଼ କରନ୍ତି ବୋଲି ପୂର୍ବରୁ ଓ୍ଵାସିଂଟନ୍ ଅଭିଯୋଗ କରି ଆସୁଛି । ଫେବ୍ରୁଆରି ୧୩ ତାରିଖ ଦିନ ଇରାନ୍ ଆମେରିକାକୁ ଏକ ଚେତାବନୀ ମଧ୍ୟ ଦେଇଥିଲା । ଇରାନ୍ କହିଥିଲା ଯେ, ଆମେରିକା ଓ ଇସ୍ରାଏଲ୍ ଯଦି କିଛି ଭୁଲ୍ କରନ୍ତି ତାଙ୍କ ଉପରେ ରକେଟ୍ ମାଡ଼ ହେବ । ଇରାନ୍ର ଜେନେରାଲ୍ କାସିମ୍ ସୁଲେମାନିଙ୍କ ମୃତ୍ୟୁର ୪୦ ଦିନ ପାଳନ ଅବସରରେ ମେଜର୍ ଜେନେରାଲ୍ ହୁସେନ୍ ସଲାମି ଏହି ଚେତାବନୀ ଦେଇଥିଲେ ।