ଆମେରିକୀୟ ଧନୀ ମହିଳାଙ୍କ ତାଲିକାରେ ୩ ଭାରତୀୟ
ନ୍ୟୁୟର୍କ, (ଏଜେନ୍ସି): ଫୋର୍ବସ୍ ପତ୍ରିକା ଆମେରିକାର ୮୦ଜଣ ଧନୀ ମହିଳାଙ୍କ ତାଲିକା ଜାରି କରିଛି । ଏହି ମହିଳାମାନେ ନିଜ ଉଦ୍ୟମରେ ନିଜ ଭବିଷ୍ୟତ ଗଢ଼ି ଧନୀ ହେବାର ଉପଲବ୍ଧି ହାସଲ କରିଛନ୍ତି । ଏହି ତାଲିକାରେ ୩ ପ୍ରବାସୀ ଭାରତୀୟ ମହିଳାଙ୍କୁ ମଧ୍ୟ ସ୍ଥାନ ମିଳିଛି । ଏହି ମହିଳାମାନେ କେବଳ ଯେ ନୂଆ କାରବାର ସ୍ଥାପନ କରିଛନ୍ତି ତାହା ନୁହେଁ, ବରଂ ଅପାର ଧନ ମଧ୍ୟ ଅର୍ଜନ କରିଛନ୍ତି । ଫୋର୍ବସ୍ ତାଲିକାର ‘ଆମେରିକା ଦି ରିଚେଷ୍ଟ ସେଲ୍ଫ ମେଡ଼୍ ୱମେନ୍ ୨୦୧୯’ରେ କମ୍ପ୍ୟୁଟର୍ ନେଟ୍ୱାର୍କିଂ କମ୍ପାନୀ ଅରିଷ୍ଟା ନେଟ୍ୱାର୍କସ୍ର ଅଧ୍ୟକ୍ଷ ଓ ସିଇଓ ଜୟଶ୍ରୀ ଉଲ୍ଲାଲ୍, ଆଇଟି କନ୍ସଲଟିଂ ଓ ଆଉଟ୍ସୋର୍ସିଂ ଫର୍ମ ସଣ୍ଟେଲ୍ର କୋ-ପାଉଣ୍ଡର ନୀରଜା ସେଠି ଓ ଷ୍ଟ୍ରିମିଂ ଡାଟା ଟେକ୍ନୋଲୋଜି କମ୍ପାନୀ କମ୍ଫୁଏଣ୍ଟର କୋ-ଫାଉଣ୍ଡର ନେହା ନରଖେଡ଼େଙ୍କୁ ସାମିଲ କରାଯାଇଛି । ଏହି ତାଲିକାର ଉଚ୍ଚ ସ୍ତରରେ ଏବିସି ସପ୍ଲାୟର ଚେୟାର୍ପର୍ସନ ଡିଏନ୍ ହେଣ୍ଡ୍ରିକ୍ସ ରହିଛନ୍ତି । ତାଙ୍କ ନିକଟରେ ୭ଅରବ ଡଲାରର ସମ୍ପତ୍ତି ରହିଛି । ଅନ୍ୟପକ୍ଷରେ ଉଲ୍ଲାଲା ତାଲିକାରେ ୧୮ତମ ସ୍ଥାନରେ ରହିଛନ୍ତି । ତାଙ୍କ ନିକଟରେ ଅରିଷ୍ଟା ଶେୟାରର ୫% ଅଂଶ ସହିତ ୧.୪୦ଅରବ ଡଲାର ସମ୍ପତ୍ତି ରହିଛି । ଫୋର୍ବସ୍ ପକ୍ଷରୁ କୁହାଯାଇଛି ଯେ ଲଣ୍ଡନରେ ଜନ୍ମ ହୋଇ ଭାରତରେ ବଢ଼ିଥିବା ଉଲ୍ଲାଲା ଏବେ ଆମେରିକାର ସବୁଠାରୁ ଧନୀ ବ୍ୟବସାୟୀ ମହିଳାଙ୍କ ମଧ୍ୟରେ ଅନ୍ୟତମ । ସେଡୀ ଏହି ତାଲିକାରେ ୨୩ତମ ସ୍ଥାନରେ ରହିଛନ୍ତି । ସେ ନିଜ ସ୍ୱାମୀଙ୍କ ସହିତ ମିଳିତ ଭାବେ ସିଣ୍ଟେଲ୍ର ସ୍ଥାପନ କରିଥିଲେ । ତାଙ୍କ ନିକଟରେ ଏବେ ୧ଅରବ ଡଲାରର ସମ୍ପତ୍ତି ରହିଛି । ନର୍ଖେଡ଼େ ତାଲିକାରେ ୬୦ତମ ସ୍ଥାନରେ ରହିଛନ୍ତି, ତାଙ୍କ ନିକଟରେ ୩୬କୋଟି ଡଲାରର ସମ୍ପତ୍ତି ରହିଛି । ଏହି ତାଲିକାରେ ୧୦ତମ ସ୍ଥାନରେ ଓପରା ଭିନଫ୍ରେ, ୧୨ତମ ସ୍ଥାନରେ ଫେସ୍ବୁକ୍ ମୁଖ୍ୟ ଅପରେଟିଂ ଅଫିସର୍ ଶେରିଲ ସ୍ୟଡ଼ବର୍ଗ, ୨୩ତମ ସ୍ଥାନରେ ରିୟଲିଟି ଷ୍ଟାର କାଇଲ୍ ଜେନର୍, ୨୯ତମ ସ୍ଥାନରେ ଫାଶନ୍ ଡିଜାଇନର୍ ଟୋରୀ ବର୍ଚ, ୩୭ତମ ସ୍ଥାନରେ ପପ୍ ଷ୍ଟାର ରିହାନା, ୩୯ତମ ସ୍ଥାନରେ ମୈଡୋନା, ୫୧ତମ ସ୍ଥାନରେ ବିୟୋସ, ୫୬ତମ ସ୍ଥାନରେ ଲେଖିକା ଡାନିଏଲ୍ ଷ୍ଟିଲ୍, ୬୩ତମ ସ୍ଥାନରେ ଟିଭି କଳାକାର ଏଲେନ୍ ଡିଜେନେରେସ୍ ଓ ୮୦ତମ ସ୍ଥାନରେ ଟେନିସ୍ ଷ୍ଟାର ସେରେନା ଭିଲିୟମ୍ସ ପରି ପ୍ରତିଷ୍ଠିତ ମହିଳା ବ୍ୟବସାୟୀମାନେ ସାମିଲ ହୋଇଛନ୍ତି ।