ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ୟାଙ୍କର : ୪ ମୃତ
ରାୟଗଡ଼ା (ୱାଇଏନ୍ଏସ୍ ): ଭବାନୀପାଟଣା ରାଜ୍ୟ ରାଜପଥର ମଞ୍ଜୁରକୁପା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତଦେହ ନେଇ ଫେରୁଥିବା ଆମ୍ବୁଲାନସକୁ ଟ୍ୟାଙ୍କର ଧକ୍କା ଦେବା ଯୋଗୁ ଦୁର୍ଘଟଣାରେ ୪ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ଅମ୍ବାଦଳା ପୁଲିସ୍ ମୃତଦେହ ଜବତ କରିବା ସହିତ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକମାନେ ହେଲେ ସୁଶାନ୍ତ ବିଶି (୪୭), ଭକ୍ତି ହଂସ (୩୦) ଓ ଆମ୍ବୁଲାନସ୍ ଡ୍ରାଇଭର ଅଭୟ କୁଶୁଲିଆ (୪୦)। ଗୁରୁତର ଆହତ ଜିତେନ୍ଦ୍ର ଭୋଇ (୩୨), ଲକ୍ଷ୍ମଣ କର୍ମା (୩୫)ଙ୍କୁ ଚିକିତ୍ସା ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ଥାନା କପଳାଭଟ୍ଟା ଗାଁର ହନି ହଂସ ଗତ କିଛି ମାସ ହେଲା କୀଡିନ୍ ରୋଗରେ ପୀଡ଼ିତ ଥିଲେ। ସ୍ବାସ୍ଥ୍ୟବସ୍ଥା ଜଟିଳ ହେବାରୁ ଗୁରୁବାର ପୂର୍ବାହଣରେ ପରିବାର ଲୋକ ହନିଙ୍କୁ ଚିକିତ୍ସା ପାଇଁ ବିଷମକଟକ ଖ୍ରୀଷ୍ଟିଆନ୍ ହସପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ହନିଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ମୃତଦେହ ନେବାକୁ କପଳାଭଟ୍ଟାର ସଂପର୍କୀୟ ସୁଶାନ୍ତ ବିଶି, ଭୁଲିଆଶିକୁଆଁ ଗାଁର ଜିତେନ୍ଦ୍ର ଭୋଇ, ଲକ୍ଷ୍ମଣ କର୍ମା ବିଷମକଟକରେ ପହଞ୍ଚିଥିଲେ। ଏକ ଘରୋଇ ଆମ୍ବୁଲାନସରେ ମୃତଦେହ ନେଇ ସଭିଁଏ ଗାଁକୁ ଫେରୁଥିବା ବେଳେ ଅମ୍ବାଦଳା ଥାନା ମଞ୍ଜୁରକୁପା ନିକଟରେ ସମ୍ବଲପୁରରୁ ଟିକିର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଟ୍ୟାଙ୍କର ଭାରସାମ୍ୟ ହରାଇ ଆମ୍ବୁଲାନସକୁ ସମ୍ମୁଖ ଭାଗରୁ ଧକ୍କା ଦେଇଥିଲା। ଟ୍ୟାଙ୍କର ଗତି ଏତେ କ୍ଷୀପ୍ର ଥିଲା ଯେ ଦୁର୍ଘଟଣା ପରେ ଆମ୍ବୁଲାନସକୁ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ଦେଇଥିଲା। ଫଳରେ ଆମ୍ବୁଲାନସ ଚୁରମାର ହୋଇଯିବା ସହ ଡ୍ରାଇଭର ବିଷମକଟକର ଅଭୟ କୁଶୁଲିଆ ଗାଡ଼ି ଭିତରେ ଚାପି ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ।


