ଆମ୍ବୋ ପଞ୍ଚାୟତରେ ରେସନ ସାମଗ୍ରୀ ବଣ୍ଟନ ବିଳମ୍ବକୁ ନେଇ ଉତ୍ତେଜନା

ହାଟଡ଼ିହି (ଓ୍ବାଇଏନ୍ଏସ୍) : କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେଇ ଲକଡାଉନ ଘୋଷଣା କରିଥିବାବେଳେ ରାଜ୍ୟ ସରକାର ଏପରି ବିପତ୍ତି ସମୟରେ ଲୋକମାନଙ୍କୁ ୪ମାସର ଭତ୍ତା, ତିନି ମାସର ଚାଉଳ, ହଜାରେ ଟଙ୍କାର ସହାୟତା ଆଦି ଘୋଷଣା କରିଥିବାବେଳେ ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତରେ ଲୋକମାନଙ୍କୁ ରେସନ ସାମଗ୍ରୀ ଯୋଗାଣରେ ବିଳମ୍ବ ଘଟୁଥିବାରୁ ପଞ୍ଚାୟତରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଆଜି ଶତାଧିକ ଲୋକ ପଞ୍ଚାୟତକୁ ଆସି ସମସ୍ତ ପଞ୍ଚାୟତରେ ଚାଉଳ, ଗହମ, ସାବୁନ, ମାସ୍କ ବଣ୍ଟନ କରାଯାଉଥିବା ବେଳେ ଆମ ପଞ୍ଚାୟତରେ କାହିଁଁକି ଦିଆଯାଉନି ବୋଲି କହି ପାଟିତୁଣ୍ଡ କରିବା ସହ ପଞ୍ଚାୟତକୁ ଘେରାଉ କରିଥିଲେ । ଏହି ପଞ୍ଚାୟତର ଅଧିକାଶଂ ଲୋକ ଗରିବ ଶ୍ରେଣୀର ଲୋକ ରହୁଥିବାରୁ ଦୀର୍ଘ ୧୪ଦିନ ହେଲା ଲୋକମାନେ କାମଧନ୍ଦା ନକରି ଘର ରହିଛନ୍ତି । ଫଳରେ ଅନେକ ଲୋକଙ୍କ ଘରେ ଚାଉଳ ପତ୍ର ନଥିବାରୁ ଲୋକମାନେ ନାନା ଅସୁବିଧା ଭୋଗ କରୁଥିବା ଅଭିଯୋଗ କରିଥିଲେ । ପଞ୍ଚାୟତକୁ କେବଳ ଚାଉଳ ଆସିଥିବାବେଳେ ଗହମ ଓ ସରକାରୀ ସହାୟତା ଟଙ୍କା, ମାସ୍କ ଆସିନଥିବାରୁ ବଣ୍ଟନ କରାଯାଇ ନାହିଁ ବୋଲି ସରପଞ୍ଚ ଶ୍ରୀରାମ ଦାସ ଲୋକମାନଙ୍କୁ ବୁଝାସୁଝା କରି ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରିବାପରେ ଯାଇ ଲୋକମାନେ ଘରକୁ ଯାଇଥିଲେ । ଏହି ପଞ୍ଚାୟତରେ ଆମ୍ବୋ, ଲଇଛଣପୁର, କରଗୋଳା, ଶଙ୍ଖୋ, ସରଳ, କୋଳିପଦି, ବେଗୁନିଆପଦି, ଅଣତିରା ଆଦି ଗ୍ରାମ ଥିବାବେଳେ ୧୩୬୨ଜଣ ରେସନକାର୍ଡ ହିତାଧିକାରୀ ଅଛନ୍ତି । ସରକାରଙ୍କ ପକ୍ଷରୁ ଚାଉଳ ଯୋଗାଇ ଦିଆଯାଇଥିବା ବେଳେ ଗହମ, ମାସ୍କ ଓ ସହାୟତା ଟଙ୍କା ଯୋଗାଯାଇ ନଥିବା ସରପଞ୍ଚ ଶ୍ରୀରାମ ଦାସ କହିଛନ୍ତି । ଆଜି ଗହମ ଆସିଛି ଓ ଅସନ୍ତାକାଲି ଠାରୁ ବଣ୍ଟନର ବ୍ୟବସ୍ଥା କରିବୁ ବୋଲି ସେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ