ଆମ୍ରପାଲି ଏଜେଣ୍ଟକୁ ୩ଠ% କମିଶନ: ଅଡିଟ୍
ନୂଆଦିଲ୍ଲୀ, (ଏଜେନ୍ସି): ସୁପ୍ରିମ କୋର୍ଟ ଦ୍ୱାରା ନିଯୁକ୍ତ ଫରେନ୍ସିକ୍ ଅଡ଼ିଟର କୋର୍ଟରେ ଆଶ୍ଚର୍ଯ୍ୟ କଲା ପରି ଖୋଲାସା କରିଛନ୍ତି । ଅଡ଼ିଟର ସୁପ୍ରିମକୋର୍ଟକୁ କହିଛନ୍ତି ଯେ ଆମ୍ରପାଲି ଗ୍ରୁପ୍ କ୍ରେତାଙ୍କ ଠାରୁ ମିଳିଥିବା ଫ୍ଲାଟ୍ର ମୂଲ୍ୟରୁ ୩୦% ପର୍ଯ୍ୟନ୍ତ ମାର୍କେଟିଂ ଏଜେଣ୍ଟଙ୍କୁ ପରିଶୋଧ କରିଥିଲେ । ଏହାବ୍ୟତୀତ ଗ୍ରୁପ୍ର ପ୍ରମୋଟର ଓ ଡାଇରେକ୍ଟର ଘର କ୍ରେତାଙ୍କ ଠାରୁ ମିଳିଥିବା ଟଙ୍କାକୁ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବ୍ୟବହାର କରିଛନ୍ତି । କୋର୍ଟରେ ଉପସ୍ଥାପନ କରାଯାଇଥିବା ବିସ୍ତୃତ ରିପୋର୍ଟରେ ଅଡ଼ିଟର (ପବନ କୁମାର ଅଗ୍ରୱାଲ ଓ ରବି ଭାଟିଆ) କହିଛନ୍ତି ଯେ ଘର କ୍ରେତାଙ୍କ ୨୫କୋଟିରୁ ଅଧିକ ଟଙ୍କାକୁ କମ୍ପାନୀର ପ୍ରମୁଖ ଅଧିକାରୀମାନେ ଏଲ୍ଆଇସି, ମ୍ୟୁଚୁଆଲ୍ ଫଣ୍ଡ ଓ ଶେୟାରରେ ନିବେଶ କରିଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ ଆମ୍ରପାଲି ଗ୍ରୁପ୍ର ସିଏମ୍ଡ଼ି ଅନିଲ୍ ଶର୍ମା ନିକଟରେ ନିଜର ସମସ୍ତ ପରିଜନଙ୍କୁ ପାଖାପାଖି ୧୧କୋଟି ଟଙ୍କା ଟ୍ରନ୍ସଫର୍ କରିଥିଲେ । ପ୍ରକାଶ ଯେ ସୁପ୍ରିମକୋର୍ଟ ହିଁ ଅଡ଼ିଟରଙ୍କ ନିଯୁକ୍ତି କରି ଆମ୍ରପାଲି ଗ୍ରୁପ୍ର ୪୬ ପଞ୍ଜିକୃତ କମ୍ପାନୀଗୁଡ଼ିକ ଓ ଅନ୍ୟ ଠକ କମ୍ପାନୀଗୁଡ଼ିକର ଫରେନ୍ସିକ୍ ଅଡ଼ିଟ୍ ପାଇଁ ଆଦେଶ ଦେଇଥିଲେ । ଜଷ୍ଟିସ୍ ଅରୁଣ ମିଶ୍ର ଓ ଜଷ୍ଟିସ୍ ୟୁୟୁ ଲଳିତଙ୍କ ବେଞ୍ଚ ସମ୍ମୁଖରେ ଉପସ୍ଥାପିତ ହୋଇଥିବା ପବନ କୁମାର ଅଗ୍ରୱାଲ କହିଛନ୍ତି ଯେ କେତେକ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ଲୋକଙ୍କୁ ମଧ୍ୟ ଘର କ୍ରେତାଙ୍କ ଟଙ୍କା ହେର୍ଫେର୍ କରାଯାଇଛି । ଅଗ୍ରୱାଲ୍ କୋର୍ଟରେ ପ୍ରକାଶ କରିଛନ୍ତି ଯେ ସେ ଏହି ଅନ୍ୟ ‘ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଲୋକ’ଙ୍କ ଭୂମିକାର ମଧ୍ୟ ଯାଞ୍ଚ୍ କରୁଛନ୍ତି । ହେଲେ ଏହି ଲୋକ ସହଯୋଗ କରୁନାହାଁନ୍ତି । ସେ କହିଛନ୍ତି ଯେ କିଛି ମାମଲାରେ ଫ୍ଲାଟ୍ ମୂଲ୍ୟର ୩୦% କମିଶନ ଭାବେ ଏଜେଣ୍ଟଙ୍କୁ ଦିଆଯାଇଛି । ଅଗ୍ରୱାଲ୍ କୋର୍ଟ ନିକଟରେ ଉଲ୍ଲେଖ କରିଛନ୍ତି ଯେ ସେ ଅନ୍ୟ ଲୋକଙ୍କ ଯାଞ୍ଚ୍ କରିବା ପରେ ଏକ ସପ୍ଲିମେଣ୍ଟାରୀ ରିପୋର୍ଟ ଉପସ୍ଥାପନ କରିବେ ।


