ଆମ ଗାଁ ଆମ ବିକାଶ ଯୋଜନା କେନ୍ଦ୍ରାପଡା ବ୍ଲକରେ ଦିଗହରା
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ବ୍ଲକରେ ଆମ ଗାଁ ଆମ ବିକାଶ ଯୋଜନା ଦିଗହରା ହେବାକୁ ବସିଛି । ଏହି ଯୋଜନାରେ ବ୍ଲକର ବିଭିନ୍ନ ପଂଚାୟତରେ ଗୋଷ୍ଠିକେନ୍ଦ୍ର(କମ୍ୟୁନିଟି ସେଂଟର) ନିର୍ମାଣ ପାଇଁ ବ୍ଲକ ପକ୍ଷରୁ ଅଢେଇଲକ୍ଷରୁ ଆରମ୍ଭ କରି ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟାଦେଶ ପ୍ରଦାନ କାର୍ଯ୍ୟ ସରିଯାଇଥିବା ବେଳେ ଏହା ଏବେ କେଉଁଠି ବ୍ୟକ୍ତିଗତ ଜମିରେ ହେଉଛିତ କେଉଁଠାରେ ଗୋଚର, ଶ୍ମଶାନ, ଦଣ୍ଡା କିଷମ ଜମିରେ ନିର୍ମାଣ କରାଯାଉଥିବା ଅଭିଯୋଗ ହେଉଛି । ଆହୁରି କେଉଁଠି ପୂର୍ବରୁ ନିର୍ମିତ ଗୃହକୁ ଦେଖାଇ ସଂପୃକ୍ତ ପ୍ରକଳ୍ପର ବିଲ କରିନେବାକୁ ମସୁଧା ଚାଲିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଯୋଜନାର ଗାଇଡଲାଇନ ଅନୁଯାଇ ଯେଉଁ ପ୍ରକଳ୍ପ ନାମରେ ଜମିଥିବ କେବଳ ସେହି ଜମିରେ ଗୋଷ୍ଠି କେନ୍ଦ୍ର ନିର୍ମାଣ କରାଯାଇପାରିବ । ଅନ୍ୟ କୈାଣସି ଯୋଜନାରେ ନିର୍ମିତ ପ୍ରକଳ୍ପର ସଂପୂର୍ଣ୍ଣ କାର୍ଯ୍ୟ ମଧ୍ୟ ଏହି ଯୋଜନାରେ କରାଯାଇପାରିବ ନାହିଁ ବୋଲି ଗାଇଡ ଲାଇନରେ ଉଲ୍ଲେଖ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ସ୍ୱପ୍ନର ଯୋଜନା ତେଣୁ ଏହି ଯୋଜନାରେ ଅନ୍ତତଃ ଠିକ ଭାବରେ କାର୍ଯ୍ୟ ହେବା ଉଚିତ ବୋଲି ଜନୈକ ବରିଷ୍ଠ ଦଳୀୟ ନେତା ମତବ୍ୟକ୍ତ କରିଛନ୍ତି ।