ଆମ ପୋଲିସ ସମିତି ବୈଠକ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ / ଶେଷଦେବ ସାହୁ): ହିଞ୍ଜିଳି ଥାନା ପକ୍ଷରୁ ମଙ୍ଗଳବାର ଦୁର୍ବନ୍ଧ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ସଂଯୋଜନାରେ ଆମ ପୋଲିସ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିମନ୍ତ୍ରିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ରାମହରି ଶର୍ମା, ସରପଂଚ ରଞ୍ଜୁ ବେହେରା, ସମିତିସଭ୍ୟା ଝିଲି ବେହେରା, ସମାଜସେବୀ ଶୈଳେନ୍ଦ୍ରି ଚୌଧୁରୀ ପ୍ରମୁଖ ମଂଚାସିନ ଥିଲେ । ବୈଠକରେ ସାଧାରଣ ଜନତାଙ୍କ ସକାଶେ ପୋଲିସ ପ୍ରଶାସନର ଦାୟିତ୍ୱ, କର୍ତବ୍ୟ ବିଷୟରେ ଉପସ୍ଥିତ ଗ୍ରାମବାସୀଙ୍କୁ ଅବଗତ କରାଯାଇଥିଲା । ଟ୍ରାଫିକ ନିୟମ ମାନି ଚଳିବା ସହ କୌଣସି ପରିସ୍ଥିତିରେ ବିଶୃଙ୍ଖଳା ପରିସ୍ଥିତି ଉପୁଜିଲେ ତତକ୍ଷଣାତ ନିର୍ଭୟ ଭାବେ ପୋଲିସ ଥାନାକୁ ଅବଗତ କରିବା ସକାଶେ ସମାଜସେବୀ ଚୌଧୁରୀ ମତ ପ୍ରକାଶ କରିଥିଲେ । ଜନସାଧାରଣଙ୍କ ସହ ପୋଲିସ ପ୍ରଶାସନର ଉତମ ସମ୍ପର୍କ ସ୍ଥାପନ କରିବା ପାଇଁ ପୋଲିସ ସଦା ସର୍ବଦା ପ୍ରସ୍ତୁତ ରହିଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଦାସ କହିଥିଲେ । ଏହି ଅବସରରେ ରାସ୍ତା କଡ଼ରେ ମଳତ୍ୟାଗ ନକରିବା ଏବଂ ଗ୍ରାମର ସମସ୍ତ ଜନସାଧାରଣ ପାଇଖାନା ବ୍ୟବହାର କରିବା ସକାଶେ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ଏସଆଇ ମମତା ସାମନ୍ତରାୟ ପରିଚାଳନା କରିଥିବା ବେଳେ ଏସଆଇ ପ୍ରଦିପ୍ତ ଦାଶ, ହାବିଲଦାର ରାଜିବ ପାଢି, ଗ୍ରାମର ଯୁବ ସଂଘଠକ ସନ୍ତୋଷ ମହାନ୍ତି ଓ ଥାନାର କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।