ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ପାରା କ୍ରୀଡା ପ୍ରତିଯୋଗୀତା ଉଦଯାପିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆରେ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ପାରା କ୍ରୀଡା ପ୍ରତିଯୋଗୀତାକୁ ଜିଲ୍ଲାପାଳ ସମର୍ଥ ବର୍ମା ପତକା ଉତ୍ତୋଳନ କରି ଓ କ୍ରୀଡା ମସାଲରେ ଅଗ୍ନି ସଂଯୋଗକରି ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ଯୋଗଦେଇ ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ସହ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହି ପ୍ରତିଯୋଗିତାର ଲକ୍ଷ୍ୟ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଅନ୍ତର୍ଜାତୀୟ ପାରା କ୍ରୀଡା ଖେଳାଳି ମହମ୍ମଦ ଜାଫର ଇକବାଲ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ସବୁ କ୍ଷେତ୍ରରେ ପ୍ରୋତ୍ସାହିତ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଭିନ୍ନକ୍ଷମଙ୍କ ଭଳି ସକ୍ଷମ ଆଉ କେହି ନୁହନ୍ତି ବୋଲି କହି ସେମାନେ ପ୍ରତ୍ୟେକ ଭିନ୍ନ ଭିନ୍ନ କ୍ଷେତ୍ରରେ ସକ୍ଷମ ହୋଇଥିବା କେତେକ ଉଦାହରଣ ଦେଇ ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ସମସ୍ତେ ସମ୍ମିଳିତ ଉଦ୍ୟମ ଯାରି ରଖିବାକୁ ଆହ୍ୱାନ ଦେଇଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ପାରା କ୍ରୀଡା ପ୍ରତିଯୋଗୀତା ସମ୍ପର୍କରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦୟନାଥ ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ ଓ ଜାଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ୯ଟି ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ସ୍ୱତନ୍ତ୍ର ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବରିଷ୍ଠ ବର୍ଗର ବାଳକ,ବାଳିକା ଏବଂ କନିଷ୍ଠ ବର୍ଗର ବାଳକ,ବାଳିକା ବିଭାଗରେ ପ୍ରତ୍ୟେକ ବ୍ଲକରୁ ୩୨ଜଣ ଲେଖାଁଏ ପ୍ରତିଯୋଗୀ ଏଭଳି ମୋଟ ୩୫୦ଜଣ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ୫୦ମିଟର,୧୦୦ମିଟର,୨୦୦ମିଟର ଦୈାଡ,ଲମ୍ବାଡିଆଁ,ଉଚ୍ଚାଡିଆଁ,ବକେଟବଲ,ଜିଲିପିରେସ,ଟ୍ରାଇସାଇକେଲରେସ,ଚିତ୍ରାଙ୍କନ,ବକ୍ତୃତା ଓ ସଂଗୀତ ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବିଭାଗର ପ୍ରତିଯୋଗୀତାରେ ପ୍ରଥମ ହୋଇଥିବା କୃତି ପ୍ରତିଯୋଗୀ ରାଜ୍ୟସ୍ତରୀୟ ଭିନ୍ନକ୍ଷମ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ,ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଭାଗିରଥୀ ନନ୍ଦ,ଶିକ୍ଷା ବିଭାଗର ଶାରୀରିକ ଶିକ୍ଷା ନିରୀକ୍ଷକ ସ୍ମିତାପ୍ରତିଭା ସାହୁଙ୍କ ସମେତ କ୍ରୀଡା ଶିକ୍ଷକ ଓ ବିଭିନ୍ନ ବିଭାଗର ବିଚାରକମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ