ଆରଏସଏସ ପକ୍ଷରୁ ରାଷ୍ଟ୍ରୀୟ ଜାଗରଣ ଯୁବ ସମାବେଶ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଗଜପତି ଶାଖା ପକ୍ଷରୁ ଏକ ରାଷ୍ଟ୍ରୀୟ ଜାଗରଣ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଗତ ୧୨ତାରିଖ ବିବେକାନନ୍ଦଙ୍କ ଜୟନ୍ତୀରେ ଏହି ସମାରୋହ ହେବାପାଇଁ ସ୍ଥିର ହୋଇଥିଲେ ମଧ୍ୟ ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣଦେବଙ୍କ ମୃତ୍ୟୁ ଯୋଗୁଁ ଏହି କାର୍ଯ୍ୟକ୍ରମ ଉକ୍ତ ଦିନ ବାତିଲ କରାଯାଇ ଆଜି ରବିବାର ଦିନ ଆୟୋଜନ କରାଯାଇଛି । ଏହି ଅବସରରେ ଜିଲାର ବିଭିନ୍ନ ବ୍ଲକରୁ ପ୍ରାୟ ୫ଶହ ସେବକ ଯୋଗଦେଇ ପାରମ୍ପାରିକ ଶୌଳୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବସ୍ତ୍ର ପରିଧାନ କରି ହାତରେ ଲାଠି ଧରି ସ୍ଥାନୀୟ ହାଇସ୍କୁଲ ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରେଳ ଷ୍ଟେସନ ନିକଟସ୍ଥ ହନୁମାନ ମନ୍ଦିର ପଡିଆରେ ପହଞ୍ôଚଥିଲେ । ସେଠାରେ ଏହି ସ୍ୱୟଂ ସେବକମାନେ ନିୟୁଧ (କରାଟେ) କ୍ରୀଡା ପ୍ରଦର୍ଶନ କରିଥିଲେ । ମୁଖ୍ୟତଃ ବିନା ଅସ୍ତ୍ରଶସ୍ତ୍ରରେ କିପରି ଆତ୍ମ ସୁରକ୍ଷା କରାଯାଇପାରିବ ସେ ବିଷୟରେ ଲୋକମାନଙ୍କୁ ଏବଂ ଯୁବକମାନଙ୍କୁ ସଚେତନ କରିବାପାଇଁ ଏହି ପରି ପ୍ରଦର୍ଶନ କରାଯାଇଥିଲା । ପରେ ଅନୁଷ୍ଠିତ ଏକ ଶୋଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଜପତି ଜିଲା ଜିରାଙ୍ଗ ସ୍ଥିତ ବୈଦ୍ଧ ମନ୍ଦିରର ମୁଖ୍ୟ କେମ୍ପୁ ପେମା ଖେମ୍ପୁ ଯୋଗଦେଇ ଏହିପରି ଯୁବ ଜାଗରଣ କାର୍ଯ୍ୟକ୍ରମ ଦ୍ୱାରା ଯୁବକମାନେ ଅନେକ କିଛି ଶିକ୍ଷା ହାସଲ କରିପାରିବେ ବୋଲି ସେ କହିଥିଲେ । ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପୂର୍ବ କ୍ଷେତ୍ର କାର୍ଯ୍ୟ ବାହାକ ଗୋପାଳ ପ୍ରସାଦ ମହାପାତ୍ର ଯୋଗଦେଇ ଯୁବକମାନେ ଆଜିକାଲି ବିଭିନ୍ନ କୁସଂସ୍କାର ଦିଗକୁ ଆକର୍ଷିତ ହେଉଥିବାବେଳେ ଏପରି ଯୁବ ଜାଗରଣ କାର୍ଯ୍ୟକ୍ରମ ଦ୍ୱାରା ସେମାନେ ସଂସ୍କାର ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାରେ ପରିଚାଳିତ ହୋଇପାରିବେ ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ବର୍ତ୍ତମାନ ଦେଶରେ ଯେଉଁ ନାଗରିକ ସଂଶୋଧନ ଆଇନ ଗୃହୀତ ହୋଇଛି ତାହା ନାଗରିକ ମାନଙ୍କ ଅଧିକାର ପାଇଁ ତିଆରି ହୋଇଛି ଏବଂ ସାଧାରଣ ଲୋକଙ୍କ ନାଗରିକତ୍ୱ ପ୍ରଦାନ କରାଯାଇଛି ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଥିଲା । ସେହିପରି ବର୍ତ୍ତମାନ ଯୁବ ସମାଜ ଭୁଲ ଦିଗରେ ପରିଚାଳିତ ନହୋଇ ନିଜକୁ ସଠିକ ମାର୍ଗରେ ପରିଚାଳିତ କଲେ ଏକ ସୁନ୍ଦର ଦେଶ ଏବଂ ସଂସ୍କାରଧର୍ମୀ ଦେଶ ଗଠନ ହୋଇପାରିବ ବୋଲି ଏହି କାର୍ଯ୍ୟକ୍ରମରେ ଯୁବ ସମାଜକୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଡୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟ ଶ୍ରୀକାକୁଲମ ଜିଲାର ଖଣ୍ଡବୈଦ୍ଧିକ ପ୍ରଚାରକ ଆପଲ୍ଲାରାଜୁ, ଗଂଜାମ ବିଭାଗର ସଂଘଚାଳକ ଡ.ପ୍ରଭାକର ସାହୁ, ଗଂଜାମ ଜିଲା ସଂଘ ଚାଳକ ଅନାଦି ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗଦେଇଥିବାବେଳେ କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷା ଅନୀତା ରାଣୀ ବେହେରା ଓ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣରାଓ ଅତିଥିଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ବ୍ଲକରୁ ପ୍ରାୟ ୫ଶହ ସ୍ୱୟଂସେବକମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ