ଆରଟିକ ସମୁଦ୍ରରେ ମିଥେନ୍ ଭଣ୍ଡାର
ବାୟୁମଣ୍ଡଳକୁ ଉତ୍ତପ୍ତ କରୁଥିବା ଗ୍ୟାସ୍ ମଧ୍ୟରେ ମିଥେନ୍ ଅନ୍ୟତମ । ଏହା ଅଙ୍ଗାରକାମ୍ଲଠାରୁ ଅଧିକ ଭାବେ ଉତ୍ତପ୍ତ ପ୍ରକ୍ରିୟାରେ ସହଯୋଗୀ ହୋଇଥାଏ । ନିକଟରେ କେତେକ ବୈଜ୍ଞାନିକ ଉତ୍ତର ଗୋଲାର୍ଦ୍ଧ ସାଗରଗର୍ଭର ଏକ ବିଶାଳ ଅଞ୍ଚଳରୁ ମିଥେନ ଗ୍ୟାସ ନିର୍ଗତ ହେଉଥିବାର ଦେଖିଛନ୍ତି । ସାଇବେରିଆ ଅଞ୍ଚଳରେ ମିଥେନ୍ ଗ୍ୟାସ ସୃଷ୍ଟି କରୁଥିବା ସମୁଦ୍ର ଗର୍ଭର ଏକ ବିସ୍ତୀର୍ଣ୍ଣ ଅଞ୍ଚଳକୁ ରୁଷର ବୈଜ୍ଞାନିକମାନେ ଦେଖିପାରିଥିବାବେଳେ ବ୍ରିଟିଶ୍ ବୈଜ୍ଞାନିକମାନେ ଗବେଷଣା ଜାହାଜ ଜେମ୍ସ କ୍ଲାକର ରସରେ ଏହି ଅଞ୍ଚଳ ଦେଇ ଗତିକରିବା ସମୟରେ ସମୁଦ୍ର ଗର୍ଭର ୪୦୦ ମିଟର ତଳେ ୩୦ ବର୍ଗ କିଲୋମିଟର ଅଞ୍ଚଳରେ ଥିବା ପ୍ରାୟ ୨୫୦ଟି ଯାଏ ସ୍ଥାନରୁ ମିଥେନ୍ ଗ୍ୟାସ୍ ଫୋଟକା ଆକାରରେ ନିଷ୍ପାଷିତ ହେଉଥିବାର ଦେଖିଛନ୍ତି । ସେମାନେ ନରେଓ୍ୱ ଉପକୂଳର ସାଭାଲବାର୍ଡ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିଛନ୍ତି । ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାୟ ୧୨୦୦ ମିଟର ଗଭୀରତାରେ ଅନ୍ୟ ଏକ ସ୍ଥାନରୁ ମଧ୍ୟ ମିଥେନ୍ ଗ୍ୟାସ୍ ସୃଷ୍ଟି ହେଉଛି ବୋଲି ସେମାନେ ସୁଚନା ଦେଇଛନ୍ତି । ବୈଜ୍ଞାନିକମାନେ ଏହି ଅଞ୍ଚଳର ସମୁଦ୍ର ଶିଳାସ୍ତରକୁ ଓ ଜଳକୁ ପରୀକ୍ଷାକରି ସୃଷ୍ଟି ହେଉଥିବା ଗ୍ୟାସ୍ ମିଥେନ ବୋଲି ମତ ଦେଇଛନ୍ତି । ଶେଷ ବରଫଯୁଗ ବା ପ୍ରାୟ ୧୫,୦୦୦ ବର୍ଷ ତଳୁ ଏହିଭଳି ମିଥେନ୍ ଗ୍ୟାସ ସୃଷ୍ଟି ପ୍ରକ୍ରିୟା ଚାଲିଛି ବୋଲି କୁହାଯାଇଛି । ଏହା ବର୍ତ୍ତମାନର ତାପମାତ୍ରା ବୃଦ୍ଧି ପାଇଁ କେତେଦୂର ସହାୟକ ସେ ସମ୍ପର୍କରେ ଗବେଷଣା କରାଯାଉଛି ।


