ବରଫରେ ମାଛ, ଊଦ୍ଭିଦ, କୀଟପତଙ୍ଗ ରହନ୍ତି କିପରି ?
ଶୂନ ଡିଗ୍ରୀରେ କୀଟପତଙ୍ଗ, ମାଛ ଏବଂ ଉଦ୍ଭିଦ କିପରି ରହିପାରନ୍ତି, ଏହାକୁ ପ୍ରମାଣ କରି ଦେଖାଇଛନ୍ତି ମିଚିଗାନ୍ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଲିଓନାର୍ଡ ସ୍ୟାଣ୍ଡର୍ ଓ ଆଲେକ୍ସାଇ ଟ୍ରଚେଙ୍କୋ । କମ୍ ତାପମାତ୍ରାରେ ଶରୀର ଭିତରେ ଯଦି ବରଫ ଜମିଯିବ ତେବେ ଜୀବନ ପ୍ରତି ବିପଦ ଆସିଥାଏ । ବରଫର ଘନତ୍ୱ ପାଣିଠାରୁ କମ୍ । ସେଥିପାଇଁ ବରଫ ଜମିଲାବେଳେ ତାର ଆୟତନ ବଢ଼ିଯାଏ । ଦେହର କୋଷ ବରଫ ଜମିଗଲେ ସେଗୁଡିକ ଫାଟିଯାଏ । ଏତେ ଥଣ୍ଡାରେ କିପରି ମାଛ ଓ ଜୀବ ରହନ୍ତିର ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ସେମାନଙ୍କ ଦେହରେ ଥିବା କେତେକ ପୁଷ୍ଟିସାର ଯୋଗୁଁ ଭିତରେ ବରଫ ଜମିନଥାଏ। ଏ ସମ୍ପର୍କରେ ସ୍ୟାଣ୍ଡର୍ ସ ଆଲେକ୍ସାଇ ଟ୍ରଚେଙ୍କୋ ଗୋଟିଏ କମ୍ପ୍ୟୁଟର୍ ମଡେଲ୍ ସାହାଯ୍ୟରେ ଜଣାଇଛନ୍ତି । ସେମାନଙ୍କ ଏହି ଗବେଷଣାରୁ ଜଣାପଡିଥିଲା ବରଫଧାରୀ ପୁଷ୍ଟିସାର ବଢ଼ୁଥିବା ବରଫର ପୃଷ୍ଠରେ ଲାଖିଯାଏ । ଫଳରେ ବରଫର ସ୍ପଟିକ କେତେ ଜାଗାରେ ଦବିଯାଏ । ଦୁଇଟି ପୁଷ୍ଟିସାର ଅଣୁର ମଝି ଅଞ୍ଚଳ ଉପରକୁ ଫୁଲିଯାଏ । ଫୁଲିଯିବା ପରେ ପୁଷ୍ଟିସାର ଅଣୁ ବରଫ ଭିତରକୁ ଚାଲିଯାଏ । ଏହା ଫଳରେ ବରଫ ସ୍ପଟିକ ବଢ଼ିବା କମ୍ ହୋଇଯାଏ ବୋଲି ସେମାନଙ୍କ ମତ । ବରଫ ତିଆରି ହୋଇନଥିବା ବେଳେ ଆଖପାଖର ତରଳ ପଦାର୍ଥ ଅଧିକ ଥଣ୍ଡା ହୋଇଯାଇଥାଏ । ଏହାର ତାପମାତ୍ରା ଶୂନ ଡିଗ୍ରୀରୁ କମ୍ ଥାଏ । ସ୍ୟାଣ୍ଡର୍ସ ଓ ଟ୍ରଚେଙ୍କୋଙ୍କ ମତରେ ଗୋଲ ଆକୃତିର ବରଫରୋଧୀ ପୁଷ୍ଟିସାର ବହୁତ ସହଜରେ ବରଫ ଉପରେ ଲାଖିଯାଏ । କିନ୍ତୁ ବେଲଣାକାର ପୁଷ୍ଟିସାର ବରଫ ତିଆରି ବଢ଼ାଏ । ଏହ ମତକୁ ପରଖିବା ପାଇଁ ବିଭିନ୍ନ ଆକୃତିର ପୁଷ୍ଟିସାର ନେଇ କମ୍ପ୍ୟୁଟର୍ ମଡେଲ୍ ଗଢ଼ିଲେ ଓ କାହାର ପୁଷ୍ଟିସାର କେତେ ସଫଳ ସେ ବିଷୟରେ ଜଣାଇବା ସହ ସମସ୍ୟାର ସମାଧାନ ଅତିଶୀଘ୍ର କରିପାରିବେ ବୋଲି ସେମାନେ ପ୍ରକାଶ କରିଛନ୍ତି ।


