ଆର୍ଥିକ ସଂସ୍ଥା ମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଂଚ ପକ୍ଷରୁ ସତ୍ୟାଗ୍ରହ
ଛତ୍ରପୁର, (ଦେବଦତ୍ତ ମହାରଣା) :ସାହାରା ଭଳି ଠକ କମ୍ପାନୀ ମାନେ ଜମାକାରୀଙ୍କ ଠାରୁ ଟଙ୍କା ନେଇ ପରିପକ୍ୱ ରାଶି ଫେରାଇ ନାହାନ୍ତି । ସେ ସବୁ କମ୍ପାନୀର ଜମା ରାଶି ସଂଗ୍ରହ ବନ୍ଦ ରଖି ସରକାର ତୁରନ୍ତ ହସ୍ତକ୍ଷେପ କରି ପରିପକ୍ୱ ରାଶି ଜମାକାରୀଙ୍କୁ ଫେରାନ୍ତୁ । ସମସ୍ତ ଜମାକାରୀଙ୍କୁ ସିଧାସଳଖ ତହସିଲ ଜରିଆରେ ଚିହ୍ନଟ କରି ଟଙ୍କା ଫେରସ୍ତ କରିବା ସମେତ ବିଭିନ୍ନ ଦାବି ନେଇ ସୋମବାର ଆର୍ଥିକ ସଂସ୍ଥା ମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଂଚ ଗଞ୍ଜାମ ଜିଲ୍ଲା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସତ୍ୟାଗ୍ରହ କରିଥିଲେ । ୩୦୦ କୋଟି ଟଙ୍କାର କର୍ପସ୍ ପାଣ୍ଠି, କମ୍ପାନୀ ମାନଙ୍କର ସମ୍ପତ୍ତି ଅର୍ଥ କୁଆଡେ ଗଲା ସରକାର ତୁରନ୍ତ ଜବାବ ଦିଅନ୍ତୁ ଭଳି ବିଭିନ୍ନ ନାରାବାଜି ଦେଇ ଜମାକାରୀ ମାନେ ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ । ସାହାରା ଆମକୁ କରିଦେଲା ବେସାହାରା । ଆମେ ଆମର କଷ୍ଟ ଅର୍ଜିତ ଅର୍ଥ ଜମା କରିଥିଲୁ ସାହାରା ସମେତ ବିଭିନ୍ନ କମ୍ପାନୀରେ । ମାତ୍ର ସରକାର ସେମାନଙ୍କୁ ଏହି କାମ କରିବା ନିମନ୍ତେ ଅନୁମତି ଦେଉଛି ଜମାକାରୀଙ୍କୁ ଅର୍ଥ ଫେରାଇବା ପାଇଁ କୌଣସି ବାଟ କାଡୁନାହିଁ । ଯାହା ଫଳରେ ଗରିବ, ନିରୀହ ଜମାକାରୀ ମାନେ ନିଜ ଜମା ଟଙ୍କା ନ ପାଇ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଣୁ ସରକାର ତୁରନ୍ତ ହସ୍ତକ୍ଷେପ କରି ଜମାକାରୀ ମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଜମା ରାଶି ଫେରସ୍ତ କରାଯାଉ ବୋଲି ମିଳିତ ମଂଚ ପକ୍ଷରୁ ଦାବି କରାଯାଇଛି । ଏହି ସତ୍ୟାଗ୍ରହ ବେଳେ ମିଳିତ ମଂଚର ଜିଲ୍ଲା ସଭାପତି ଭଞ୍ଜ କିଶୋର ପ୍ରଧାନ, ସନୋଜ ପ୍ରଧାନ, ଅଶୋକ ନାୟକ ଓ ବିଭୁ ଶଙ୍କର ଚୈାଧୂରୀଙ୍କ ସମେତ ବହୁ କ୍ଷତିଗ୍ରସ୍ତ ଜମାକାରୀ ମାନେ ଉପସ୍ଥିତ ଥିଲେ ।