ଆର୍ଆଇ ଅଫିସ୍ରେ ବାଇକ୍ ପୋଡ଼ିଦେଲେ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ଯଶିପୁର ଥାନା ଅଧୀନସ୍ଥ ଯଶିପୁର ତହସିଲ୍ର ଜାମୁକେଶ୍ୱରର ରାଜସ୍ୱ ନିରୀକ୍ଷକଙ୍କ ଅଫିସ୍ ମଧ୍ୟରେ ପଶି ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ବାଇକ୍ ପୋଡ଼ି ଦେଇଛନ୍ତି । ଏଠାରେ ୨ଟି ବାଇକ୍ ପୋଡ଼ି ନଷ୍ଟ ହୋଇଯାଇଛି । ଆକ୍ରୋଶମୂଳକ ଭାବେ କେହି ଏପରି କରିଥିବା ସମ୍ପର୍କରେ ରାଜସ୍ୱ ନିରୀକ୍ଷକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି । ସୂଚନା ଅନୁସାରେ, ବୁଧବାର ମଧ୍ୟରାତିରେ ଜାମୁକେଶ୍ୱର ରାଜସ୍ୱ ନିରୀକ୍ଷକ ଶିବାନୀ ପ୍ରସାଦ ଟୁଡୁ ଅଫିସ୍ରେ ଥିବା ଏକ କୋଠରିରେ ପରିବାର ଓ ତାଙ୍କର ବନ୍ଧୁଙ୍କ ସହ ଶୋଇଥିଲେ । ହଠାତ୍ ରାତି ପ୍ରାୟ ୨ଟାରେ ସ୍କାଇଲାଇଟ୍ ଦେଇ ଘରକୁ ଧୂଆଁ ପଶିଥିଲା । ସେମାନେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ । ତୁରନ୍ତ ସେମାନେ ବାହାରକୁ ବାହାରି ଆସିଥିଲେ । ଅଫିସ୍ ଘରକୁ ଲାଗି ରହିଥିବା ଏକ ଚାଳିଆରେ ଥିବା ୨ଟି ବାଇକ୍ରେ ନିଆଁ ଲାଗିଥିବା ଦେଖି ସମସ୍ତେ ମିଶି ବହୁ କଷ୍ଟରେ ପାଣି ଢାଳି ନିଆଁ ଲିଭାଇଥିଲେ । ନିଆଁରେ ବାଇକ୍ ୨ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୁଲିସ୍ ଅନୁସନ୍ଧାନ ଆରମ୍ଭ କରିଛି ।