ଆର୍‌ସିଇପି ପ୍ରସଙ୍ଗରେ ଚୀନ ଗଣମାଧ୍ୟମର ମତ, ସୁଯୋଗ ହାତଛଡ଼ା କଲା ଭାରତ

ନୂଆଦିଲ୍ଲୀ: ଭିଏତନାମ୍‌ର ରାଜଧାନୀ ହାନୋଇଠାରେ ଗତକାଲି ଆୟୋଜିତ ଆସିଆନ୍‌ର ଭର୍ଚୁଆଲ ସମ୍ମିଳନୀରେ ଚୀନ ନେତୃତ୍ବରେ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟିକ ରାଜିନାମା ସ୍ବାକ୍ଷର ହୋଇଯାଇଛି। ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଭାଗିତା(ଆର୍‌ସିଇପି) ନାମରେ ହୋଇଥିବା ଏହି ଚୁକ୍ତି ଦ୍ବାରା ବିଶ୍ବର ସର୍ବବୃହତ୍ ମୁକ୍ତ ବାଣିଜ୍ୟ ଅଂଚଳ ଗଠନ ହୋଇଛି। ଦୀର୍ଘ ଆଠ ବର୍ଷର କଥାବାର୍ତ୍ତା ପରେ ଏହି ରାଜିନାମା ଯଦିଓ ବାସ୍ତବତାର ରୂପ ନେଇଛି ତଥାପି ଏଥିରେ ଦକ୍ଷିଣ ପୂର୍ବ ଏସିଆର ଅନ୍ୟତମ ଆର୍ଥିକ ଶକ୍ତି ଭାରତ ସାମିଲ ହୋଇନାହିଁ। ଏହି ରାଜିନାମାରେ ସ୍ବାକ୍ଷର କଲେ ଚୀନ ବିପୁଳ ପରିମାଣର ଶସ୍ତା ସାମଗ୍ରୀ ଗଦା କରିବ ବୋଲି ଆଶଙ୍କା କରି ଗତବର୍ଷଠାରୁ ଏଥିରେ ସାମିଲ ହେବ ନାହିଁ ବୋଲି ଭାରତ ସ୍ପଷ୍ଟ କରିସାରିଛି। କିନ୍ତୁ ଏହି ରାଜିନାମା ସ୍ବାକ୍ଷର ପରେ ଚୀନର ସରକାରୀ ଗଣମାଧ୍ୟମରେ ବିବୃତିମାନ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଭାରତ ଏକ ବଡ଼ ରଣନୈତିକ ଭୁଲ କରିବା ସହ ଦୀର୍ଘ ମିଆଦୀ ଅଭିବୃଦ୍ଧି ହାସଲ କ୍ଷେତ୍ରରେ ରହିଥିବା ସୁଯୋଗକୁ ହାତଛଡ଼ା କରିଛି । ଚୀନର ସରକାରୀ ଖବର ସରବରାହ ସଂସ୍ଥା ଜିନୁଆ ପକ୍ଷରୁ କୁହାଯାଇଛି, ଆରସିଇପି ରାଜିନାମା ଅଧୀନରେ ବିଶ୍ବର ୨୨୦ କୋଟି ଲୋକଙ୍କୁ ନେଇ ଏକ ମୁକ୍ତ ବାଣିଜ୍ୟ ଅଞ୍ଚଳ ସୃଷ୍ଟି ହୋଇଛି। ବିଶ୍ବ ଜନସଂଖ୍ୟାର ଏହା ପ୍ରାୟ ୩୦ ପ୍ରତିଶତ। ସେହିଭଳି ଏସବୁ ଦେଶଗୁଡ଼ିକର ମୋଟ ଘରୋଇ ଉତ୍ପାଦ (ଜିଡିପି) ରାଶି ହେଉଛି ୨୬.୨ ଲକ୍ଷ କୋଟି ଡଲାର ବା ବିଶ୍ବ ଜିଡିପିର ପ୍ରାୟ ୩୦ ପ୍ରତିଶତ। ଏହି ରାଜିନାମାକୁ ଜିନୁଆ ପ୍ରଶଂସା କରିଛି। ପୂର୍ବ ଏସୀୟ ଆଞ୍ଚଳିକ ସହଯୋଗ କ୍ଷେତ୍ରରେ ଏହା ଏକ ବିଶାଳ ବା ସ୍ମରଣୀୟ ସଫଳତା। ଅଧିକନ୍ତୁ ଏହା ହେଉଛି ବହୁପାକ୍ଷିକ ବ୍ୟବସ୍ଥା ଓ ମୁକ୍ତ ବାଣିଜ୍ୟର ବିଜୟ ବୋଲି ଜିନୁଆ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ