ଆର୍‌.ଉଦୟଗିରି ଡାକ୍ତରଖାନାର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ପତ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଡାକ୍ତରଖାନାର ବିଭିନ୍ନ ସମସ୍ୟାର ସମାଧାନ ନେଇ ଯୁବକ ସଂଘ ତରଫରୁ ଗଜପତି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଆର୍‌.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଏକ ୫ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଥିବାର ଜଣାଯାଇଛି । ଏନେଇ ଆର୍‌.ଉଦୟଗରି ଯୁବକ ସଂଘ ଜଣାଇଛନ୍ତି ଯେ, ଉକ୍ତ ଚିକିତ୍ସାଳୟ ଉପରେ ଜିଲ୍ଲାର ଦୁଇଗୋଟି ନୂଆଗଡ ଓ ଆର୍‌.ଉଦୟଗିରି ବ୍ଲକର ଜନସାଧାରଣ ନିର୍ଭର କରିଥାନ୍ତି । ଆର୍‌.ଉଦୟଗିରି ଚିକିତ୍ସାଳୟ ଉପରେ ଦୈନନ୍ଦିନ ଶତାଧିକ ରୋଗୀ ଆସନ୍ତି । ଏମାନଙ୍କ ମଧ୍ୟରୁ ବହୁ ମହିଳା ଓ ଶିଶୁ ଅଟନ୍ତି । ଚିକିତ୍ସାଳୟର ବହୁ ସମସ୍ୟା ରହିଥିବାରୁ ଏମାନଙ୍କୁ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ କିମ୍ବା ବ୍ରହ୍ମପୁର ସ୍ଥିତ ମୁଖ୍ୟଡାକ୍ତରଖାନାକୁ ପଠାଇ ଦିଆଯାଉଛି । ଗରିବ ତଥା ଅଭାବଗ୍ରସ୍ତ ସରଳ ଆଦିବାସୀମାନେ ଚିକିତ୍ସାଳୟର ପରାମର୍ଶକ୍ରମେ ଏହି ସ୍ଥାନ ଗୁଡିକୁ ଯାଇ ଶୋଷଣର ଶିକାର ହେବା ସହ ମୃତ୍ୟୁମୁଖରେ ପଡୁଛନ୍ତି । ଚିକିତ୍ସାଳୟରେ ମହିଳା ବିଶେଷଜ୍ଞ (ଅସ୍ତ୍ରପ୍ରଚାର), ଶିଶୁ ବିଶେଷଜ୍ଞ ଡାକ୍ତର (ଅସ୍ତ୍ରପ୍ରଚାର) ଶିଶୁ ବିଶେଷଜ୍ଞ, ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା, ଏକ୍ସ-ରେ ମେସିନର ଆଦିର ଅଭାବ ରହିଛି । ଏନେଇ ବାରମ୍ବାର ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳୁନି ବୋଲି କହିଛନ୍ତି । ଯଦି ତୁରନ୍ତ ଏଥି ପ୍ରତି ଦୃଷ୍ଟି ନିକ୍ଷେପ କରାନଯାଏ ତେବେ ଆଗାମୀ ଦିନରେ ଆର୍‌.ଉଦୟଗିରି ଚିକିତ୍ସାଳୟ ସମ୍ମୁଖରେ ଅନଶନ କରିବୁ ବୋଲି ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଯୁବକ ସଂଘର ସଭାପତି କମଳକାନ୍ତ ମାଳ ବିଶୋୟୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ