ଆର.ଡି.ସିଙ୍କୁ ସାକ୍ଷାତ କଲେ ବାଲେଶ୍ୱରର ବିଜେପି ପ୍ରତିନଧି ମଣ୍ଡଳୀ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବାଲିଆପାଳ ଓ ବସ୍ତା ବ୍ଲକର ଜଳବନ୍ଦୀ ଥିବା କୁଦମାନସିଂ, ବିଷ୍ଣୁପୁର, ଜାମକୁଣ୍ଡା, ନିଖିରା, ପଳାଶୁଣୀ ଆଦି ଅଂଚଳ ଗସ୍ତକରି ଜଳବନ୍ଦୀ ଥିବା ଲୋକଙ୍କର ସମସ୍ୟା ପଚାରି ବୁଝିବା ସହିତ ପ୍ରଶାସନ ମାଧ୍ୟମରେ ସମସ୍ତ ସହଯୋଗ କରିବା ପାଇଁ ଆଶ୍ୱାସନା ଦେଇଥିଲେ I ଚଳିତ ବର୍ଷ ରାଜ୍ୟରେ ମୌସୁମୀ ଅତ୍ୟନ୍ତ ଦୁର୍ବଳ ଥିବାରୁ ଚାଷୀକୁଳ ଲଘୁଚାପ ବର୍ଷାକୁ ଚାହିଁ ବସିଥିଲେ I ବର୍ଷା ହେବା ପରେ ଚାଷୀ ମହଲରେ ଖୁସି ଦେଖାଦେଇଥିଲା ହେଲେ ଲଘୁଚାପ ଜନିତ ଲଗାଣ ବର୍ଷା ଲୋକଙ୍କ ପାଇଁ ଅଭିଶାପ ପାଲଟିଲା I ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନଧି ମଣ୍ଡଳୀ ସମେତ ବାଲିଆପାଳର ସ୍ଥାନୀୟ ବିଜେପି ନେତୃବୁନ୍ଦ ତୁରନ୍ତ ଲୋକ ସମ୍ମୁଖୀନ ହେଉଥିବା ଦୁର୍ଦଶାକୁ ସେଠାରେ ଉପସ୍ଥିତ ଥିବା ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର ଆଣିଥିଲେI ଏଥିସହିତ ବାଲିଆପାଳ ବ୍ଲକରେ ଆର.ଡି.ସି. ଉପସ୍ଥିତ ଥିବା ବିଶେଷ ସୂତ୍ରରୁ ଜାଣିବା ପରେ ସେଠାରେ ପହଂଚି ପ୍ରମୁଖ ସମସ୍ୟା ବାବଦରେ ଆର.ଡି.ସି.ଙ୍କୁ ଅବଗତ କରାଇଥିଲେ I ଗୋଟାଏ ପଟେ ବନ୍ୟା ପାଣିରେ ଲୋକେ ଉବୁଟୁବୁ ହେଉଥିଲାବେଳେ ଅନ୍ୟପଟେ ପିଇବା ପାଣିର ଘୋର ଅଭାବ ଲୋକଙ୍କ ଦୁର୍ଦଶାକୁ ଦ୍ବିଗୁଣିତ କରିଥିଲା I ଅନେକ ସ୍ଥାନରେ ରନ୍ଧାଖାଦ୍ୟ ବଣ୍ଟନ କରିବାରେ ପ୍ରଶାସନ ବିଫଳ ହେଇଥିବାରୁ ଲୋକେ ଭୋକ ଉପାସରେ ରହିଥିଲେ I ଲୋକଙ୍କୁ ବନ୍ୟାପାଣିରୁ ଉଦ୍ଧାର କରିବା ପାଇଁ ଯେଉଁ ୪ /୫ ଟି ବୋଟ ପ୍ରଶାସନ ତରଫରୁ ଯୋଗାଇଦିଆଯାଇଥିଲା ସେଥିରୁ ପାଖାପାଖି ତିନୋଟି ବୋଟ ଅଚଳ ହୋଇପଡ଼ିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ବ୍ୟାଘାତ ହୋଇଥିଲା I ଏହି ସମସ୍ତ ବିଷୟକୁ ଯୁଦ୍ଧକାଳୀନ ଭିତରେ ସମାଧାନ କରିବା ପାଇଁ ଜିଲ୍ଲା ବିଜେପିର ପ୍ରତିନିଧି ମଣ୍ଡଳୀ ଆର.ଡି.ସି.ଙ୍କୁ ଅବଗତ କରାଇବା ପରେ ଆର.ଡି.ସି. ଉକ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ନିର୍ଭର ପ୍ରତିଶୃତି ଦେବା ସହିତ ତାଙ୍କର ଟେଲିଫୋନ ନମ୍ବର ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତିକୁ ଜଣେଇବା ପାଇଁ ସ୍ଥାନୀୟ ବିଜେପି ନେତାଙ୍କୁ କହିଥିଲେ I ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଗୋବିନ୍ଦ ଦାସ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା, ଜୋନାଲ ମିଡ଼ିଆ ସଂଯୋଜକ ସତ୍ୟଜିତ ମିଶ୍ର, ସାଂସଦ ପ୍ରତିନିଧି ପ୍ରଦୀପ ପଣ୍ଡା, ଅରବିନ୍ଦ ବେହେରା, ସାଂସଦ ପ୍ରତିନିଧି ମହେଶ୍ୱର ଜେନା, ଅଜୟ ସାହୁ, ସତ୍ୟାନନ୍ଦ ମହାନ୍ତି, ରବୀନ୍ଦ୍ର ଜେନ, ଗଗନ ସାହୁ, ଲକ୍ଷ୍ମୀଧର ପ୍ରଧାନ, କ୍ଷିତୀଶ ଦାସ, ଦେବାନନ୍ଦ ପିଲା, ବିକାଶ ଗିରି, ମାଳତୀ ନାୟକ, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକ ଓ ନାରାୟଣ ମହନ୍ତ ପ୍ରମୁଖ ଉପସ୍ଥିତ ଥିବା ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରେସ ବିବୃତିରେ ଜଣେଇଛନ୍ତି I