ଆଶା ଆଶଙ୍କାରେ ଦିନ ଗଣୁଛନ୍ତି ପ୍ରାର୍ଥୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସ୍ଥାନୀୟ ହିଞ୍ଜିଳି ବ୍ଲକରେ ବୁଧବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବହୁ ଉତ୍କଣ୍ଠା ଓ ଛକାପଞ୍ଝା ମଧ୍ୟରେ ସମାପନ ହୋଇଛି।ଉକ୍ତ ନିର୍ବାଚନବୈତରଣୀ ପାର ହେବା ପାଇଁ ସବୁଠି ଦେଖାଦେଇଛି ଚଳ ଚଞ୍ଚଳ ପରିବେଶ ଓ ରାଜନୈତିକ ଉଷ୍ମତା।ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା ବେଳେ ବୁଧବାର ସକାଳ ୬ ଘଣ୍ଟା ଠାରୁ ମତଦାନ କେନ୍ଦ୍ର ଗୁଡିକରେ ନିର୍ବାଚନ ନିୟମ ଅନୁଯାୟୀ ଯଥାବିଧି ନିର୍ବାଚନ ପରିଚାଳନା ଆରମ୍ଭ ହୋଇଥିଲା।ସକାଳ ୭ ଘଣ୍ଟା ଠାରୁ ଦିନ ୧ ଘଣ୍ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ର ଗୁଡିକରେ ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ କରିବା ପାଇଁ ସମୟ ନିର୍ଘଣ୍ଟ ନିଶ୍ଚିତ ହୋଇଥିଲା । ମତଦାନ କେନ୍ଦ୍ର ଗୁଡିକ ମଧ୍ୟରେ ଭୋଟରଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ବେଳେ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନରେ ପଇଁତରା ମାରିବା ଫଳରେ ସ୍ଥାନୀୟ ବ୍ଲକରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଭୋଟର ମାନେ ଶାନ୍ତିପୂର୍ଣ୍ଣ ଭାବେ ନିଜ ନିଜ ମତଦାନ କରିଥିଲେ।ହେଲେ ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ମଧ୍ୟରେ ଜିତ ହାରକୁ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଛି।ଗାଁ ଗାଁ ରେ ସକାଳୁ ରାତ୍ରି ଯାଏଁ ସବୁଠି ଚାଲିଛି ଚର୍ଚ୍ଚା। କାହା ସପକ୍ଷରେ ମତ ଦାନ ଅଧିକ ହୋଇଛି ଏବେ ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ନିଭୃତ ଆଲୋଚନା ଚାଲିଛି । କାହାର ପଲା କେତେ ଭାରି ରହିଛି ତାହାକୁ ନେଇ ସବୁଠାରେ ଲାଗି ରହିଛି ସସପେନ୍ସ ।ତଥାପି ଜିତିବା ପାଇଁ ସବୁ ପ୍ରାର୍ଥୀ ଢେର ଆଶାୟୀ ଥିଲା ବେଳେ ଭୋଟ ଗଣତି ଦିବସକୁ ଚାତକ ପକ୍ଷୀ ଭଳି ଅନାଇ ବସିଛନ୍ତି । ଆସନ୍ତା ୨୬ ତାରିଖ ଠାରୁ ଭୋଟ ଗଣତି ପ୍ରକ୍ରିୟା ବ୍ଳକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ୨୮ ତାରିଖ ସୁଦ୍ଧା ନିର୍ବାଚନ ଫଳାଫଳ ଘୋଷଣା ହେବ।ଜନ ସମର୍ଥନ ହାସଲ ଲକ୍ଷ୍ୟରେ ନିର୍ବାଚନ ସମୟରେ ପ୍ରାର୍ଥୀ ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇ ଯେଭଳି ଛକାପଞ୍ଝା ପରିସ୍ଥିତି ସୃଷ୍ଟି ହୋଇଥିଲା ଆଉ ହାତ ଗଣତି ଦିନ ପରେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟିବ।ତେଣୁ ଫଳାଫଳ ଘୋଷଣା ଦିବସ ଏବେ ସମସ୍ତଙ୍କ ହୃତ ସ୍ପନ୍ଦନ ବଢ଼ାଇ ଦେଇଛି । ଏବେ ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ନିଦ ହଜିଯାଇ କେବଳ ମାନସ ମନ୍ଥନ ଜାରି ରହିଛି ।


