ଆଶିକ୍ ସରେଣ୍ଡର ହେଲା’ର ଶୁଭ ମହୁରତ
ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ଭୁବନେଶ୍ୱର ସ୍ମାର୍ଟସିଟିର ପଟିଆ ଅଞ୍ଚଳର ଇନ୍ଫୋସିଟି ରୋଡ଼ରେ ଥିବା ଡଲ୍ଫିନ୍ ଗାର୍ଡେନରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆଶିକ୍ ସରେଣ୍ଡର ହେଲା’ର ଶୁଭ ମହୁରତ ହୋଇଯାଇଛି । ମହୁରତ ଅବସରରେ ବିଶ୍ୱାସ ପ୍ରଡ଼କ୍ସନସ୍ ଓ ଫୋନିକ୍ସ ଫିଲ୍ମ ଲାବ୍ସ ପ୍ରାଇଭେଟ ଲିଃର ମିଳିତ ପ୍ରଯୋଜନାରେ ନିର୍ମିତ ହେଉଥିବା ଏହି ଚଳଚ୍ଚିତ୍ରର ସମସ୍ତ ୟୁନିଟ୍ ମେମ୍ବର ଯୋଗ ଦେଇଥିଲେ । ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସହ କଳାକାର ଓ ଟେକ୍ନିସିଆନ ମଧ୍ୟ ମହୁରତରେ ଉପସ୍ଥିତ ଥିଲେ । ପ୍ରେମ କେମିତି କେତେବେଳେ ହୋଇଯାଏ କେହି ଜାଣି ନଥାଏ । ପବନ କୁମାର ଓରଫ ପିକେ ଜଣେ ବାଳୁଙ୍ଗା ଓ ଜିଦିଆ ଯୁବକ । ସେ ପ୍ରେମକୁ ଗୋଟେ ଖେଳ ବୋଲି ବୁଝିଥାଏ । ଏକ ଛୋଟ ସହରରେ ନୈନା ତା’ର ବାପାଙ୍କ ମାଛ ଗୋଦାମ ଚଳାଉଥାଏ । ସେ ସୁନ୍ଦର, ସରଳ କିନ୍ତୁ ସ୍ୱାଭିମାନୀ ଆଉ ଏକଜିଦିଆ ଝିଅ । ସଂଯୋଗକ୍ରମେ ପିକେର ନୈନା ସହ ସାକ୍ଷାତ୍ ହୁଏ । ପରସ୍ପରକୁ ଭଲ ପାଇବସନ୍ତି । ଶେଷରେ କ’ଣ ହୁଏ? ପ୍ରେମ ଜିତେ ନା ଜିଦ୍ ଜିତେ! ନୈନା ପିକେ ଆଗରେ ନା ପିକେ ନୈନା ଆଗରେ ସରେଣ୍ଡର କରେ । ଏମିତି କାହାଣୀ ହେଉଛି ‘ଆଶିକ୍ ସରେଣ୍ଡର ହେଲା’ର ପୃଷ୍ଠଭୂମି । ମାର୍ଚ୍ଚ ପ୍ରଥମ ସପ୍ତାହରୁ ୟୁନିଟ୍ ସୁଟିଂ ଫ୍ଲୋରକୁ ଓହ୍ଲଇବ ବୋଲି ସୂଚନା ଦେଇଥିଲେ । ଏହି ସିନେମାର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ । ମହୁରତରେ ଅଭିନେତ୍ରୀ ଜୟା ବିଶ୍ୱାସ, ବିଜୟ କିଶୋର ବେହେରା, ରାଜା ଡ଼ି, ବିଶ୍ୱଭୂଷଣ ମହାପାତ୍ର, ସମ୍ଭବ ମାନସିଂହ ଏବଂ ପୁରା ୟୁନିଟ୍ ସଦସ୍ୟ ଉପସ୍ଥିତ ଥିଲେ ।