ଆସନ୍ତାକାଲି ଓଡ଼ିଶା ଆସିବେ ମୋଦି !
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି । ଜାତୀୟ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇଛି । ମହାବାତ୍ୟା ‘ଅମ୍ଫନ’ ଯୋଗୁଁ ଓଡ଼ିଶା ଓ ପଶ୍ଚିମବଙ୍ଗରେ କ୍ଷୟକ୍ଷତି ହୋଇଛି । ବିଶେଷକରି ପଶ୍ଚିମବଙ୍ଗରେ ବହୁ କ୍ଷୟକ୍ଷତି ହୋଇଛି । ବାତ୍ୟାରେ ପଶ୍ଚିମବଙ୍ଗରେ ୭୬ ଲୋକ ମୃତ୍ୟୁବରଣ କରିଥିବାବେଳେ ଭିତିଭୂମି ଛିନ୍ନଛତ୍ର ହୋଇଯାଇଛି । ବିଜୁଳି ଖୁଂଟି ଉପୁଡ଼ି ପଡ଼ିଥିବାବେଳେ ଅନେକ ଲୋକଙ୍କ ଘର ବି ଭାଙ୍ଗିଯାଇଛି । ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପରିଦର୍ଶନ କରିବାକୁ ଅନୁରୋଧ କରିଥିଲେ । ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇନଥିଲେବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ଆକଳନ କରିବେ । ସେହିପରି ଉଭୟ ରାଜ୍ୟର ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି ।


