ଆସନ୍ତା କାଲିଠାରୁ ବିନା କୋଭିଡ଼ ରିପୋର୍ଟରେ ଶ୍ରୀଜଗନ୍ନାଥ ଦର୍ଶନ
ପୁରୀ,(ଓ୍ବାଇଏନ୍ଏସ୍) : ଆସନ୍ତା କାଲିଠାରୁ ଭକ୍ତମାନେ ବିନା କୋଭିଡ଼ ରିପୋର୍ଟରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିପାରିପାରିବେ । ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ବୁଧବାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମତେ ପୁରୀ ଏଏସପି, ଡିଆଇଜି ସ୍ଥିତିର ସମୀକ୍ଷା କରି କିଭଳି ଦର୍ଶନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବ ସେନେଇ ଆଲୋଚନା କରିଛନ୍ତି ।ପୁରୀ ବାସିନ୍ଦାଙ୍କ ପାଇଁ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି । ସକାଳ ୭ଟା ପରେ ସାଧାରଣ ଭକ୍ତ ମାନେ ମନ୍ଦିରକୁ ଯାଇ ଶ୍ରୀଜୀଉ ମାନଙ୍କ ଦର୍ଶନ କରିପାରିବେ । ଏଥିଲାଗି ସେବାୟତଙ୍କ ସହ ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ଥର୍ମାଲ୍ ସ୍କ୍ରିନିଂ ଓ ସାନିଟାଇଜ୍ ହେବା ପରେ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ । କୋଭିଡ଼ ର କୌଣସି ଲକ୍ଷଣ ପରିଲକ୍ଷିତ ହେଉଥିଲେ ତାଙ୍କୁ ମନ୍ଦିର ଭିତରକୁ ଛଡାଯିବ ନାହିଁ ।


