ଆସିକାରେ ମାଳ ମାଳ ଘରୋଇ ଫାଇନାନ୍ସ କମ୍ପାନୀ
ଆସିକା, (ଯୁଗାବ୍ଦ ନ୍ୟୁଜ):ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ, ସ୍ୱାବଲମ୍ବୀ ଓ ସଶକ୍ତି କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରାଯାଇ ବିଭିନ୍ନ ଯୋଜନାରେ ଜାତୀୟକରଣ ଓ ଅନ୍ୟାନ୍ୟ ବ୍ୟାଙ୍କ ଜରିଆରେ ଋଣ ଲଗାଣ କରାଯାଉଛି । ତେବେ ବିଗତ କିଛି ବର୍ଷ ହେଲା ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବିଭିନ୍ନ ନାମରେ ଛତୁ ଫୁଟିଲା ଭଳି ମାଳ ମାଳ ଘରୋଇ ଫାଇନାନ୍ସ କମ୍ପାନୀ ଠାରୁ ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ଋଣ ଆଣି ବହୁ ମହିଳା ଗୋଷ୍ଠୀ ତଳିତଳାନ୍ତ ହେବାକୁ ବସିଲେଣି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍ ଧରିଥିବା ଲକ୍ଷ୍ୟ କରାଯାଇଛି । ଆସିକା ଅଞ୍ଚଳରେ ବିଭିନ୍ନ ନାମରେ ଶାଖା କାର୍ଯ୍ୟାଳୟମାନ ଖୋଲିଥିବା କେତେକ ଘରୋଇ ଫାଇନାନ୍ସ କମ୍ପାନୀ ଗ୍ରାମାଂଚଳ ଓ ସହରାଂଚଳର ମହିଳାମାନଙ୍କୁ ନେଇ ଛୋଟ ଛୋଟ ଗୋଷ୍ଠୀ ଗଠନ କରି ଋଣ ପ୍ରଦାନ କରୁଛନ୍ତି । ଏହା ପରେ ସେହି ଗୋଷ୍ଠୀର ସଦସ୍ୟମାନଙ୍କ ଠାରୁ ସାପ୍ତାହିକ, ପାକ୍ଷିକ ଓ ମାସିକ ଧାର୍ଯ୍ୟ ଦିନରେ ସୁଧ ମୂଳ ସହ କିସ୍ତି ଅନୁଯାୟୀ ନିଜ ନିଜ ସଂସ୍ଥାମାନଙ୍କ ଏଜେଣ୍ଟ ମାନଙ୍କ ଜରିଆରେ ଅର୍ଥ ଆଦାୟ କରୁଛନ୍ତି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ମହିଳା ଗୋଷ୍ଠୀ ଉକ୍ତ ଘରୋଇ ଫାଇନାନ୍ସ କମ୍ପାନୀ ଠାରୁ ସହଜରେ ଋଣ ଆଣୁଥିବା ବେଳେ କିସ୍ତି ଅନୁଯାୟୀ ଠିକ୍ ସମୟରେ କୌଣସି କାରଣରୁ ପରିଶୋଧ କରିବାରେ ବିଭିନ୍ନ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । କେତେକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ ଓ ଲେଡି ଡନ୍ ମାନେ ଋଣୀଦାରଙ୍କ ଘର ନିକଟରେ ପହଞ୍ଚି ନିର୍ଦ୍ଦିଷ୍ଟ ତାରିଖ ଓ ସମୟରେ କିସ୍ତି ଟଙ୍କା ଦେବା ପାଇଁ ଧମକ ଚମକ ଦେଉଥିବା ମଧ୍ୟ ଅଭିଯୋଗ ହେଉଛି । ଆସିକା ଅଞ୍ଚଳର ବହୁ ଗରିବ ଓ ଖଟିଖିଆ ମାନଙ୍କୁ କେତେକ ଘରୋଇ ଫାଇନାନ୍ସ କମ୍ପାନୀ ଟାର୍ଗେଟ୍ କରି ଋଣ ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି । ମହାଜନୀ କାରବାର ଭଳି ଋଣଜାଲରେ ବିଶେଷକରି ଗରିବ ପରିବାରର ମହିଳାମାନେ ପଡି ଛଟପଟ ହେଉଥିବା ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଖୋଲିଥିବା କେତେକ ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ମହିଳା ଗୋଷ୍ଠୀଙ୍କୁ ଋଣ ଦେବା ପୂର୍ବରୁ ଆବଶ୍ୟକୀୟ ଆଧାର କାର୍ଡ ଓ ଫଟୋ ପରିଚୟ ପତ୍ର ସଂଗ୍ରହ କରିବା ସାଙ୍ଗକୁ ଇଂରାଜୀରେ ଲିଖିତ ଅନେକ ଦସ୍ତାବିଜରେ ଦସ୍ତଖତ କରିନେଉଥିବା ଅଭିଯୋଗ ହେଉଛି । ଋଣ ପରିଶୋଧ ସମୟରେ କେତେକ ମହିଳା ଗୋଷ୍ଠୀ ନାନା ସମସ୍ୟାର ସମ୍ମୁଖୀନ ହେବା ସାଙ୍ଗକୁ ମୋଟ ରକମର ସୁଧ ଗଣି ତଳିତଳାନ୍ତ ହେଉଥିବା ଏକ ଅନୁସନ୍ଧାନରୁ ଜଣାପଡିଛି । ଆସିକା ଅଞ୍ଚଳରେ ବହୁ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ନିଜର କାରବାର ବୃଦ୍ଧି ପାଇଁ ମହାଜନୀ କାରବାର ପରି ଅଧିକ ସୁଧରେ ଗ୍ରାମାଂଚଳ ଓ ସହରାଂଚଳର କେତେକ ସ୍ୱଂୟ ସହାୟିକା ଗୋଷ୍ଠୀକୁ ଟାର୍ଗେଟ୍ କରି ଋଣ ପ୍ରଦାନ କରୁଛନ୍ତି । ଋଣୀଦାର କିସ୍ତି ଅନୁଯାୟୀ ଠିକ୍ ସମୟରେ ସୁଧ ମୂଳ ପରିଶୋଧ ନକଲେ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ ଓ କତେକ ଲେଡି ଡନ୍ ଧମକ ଚମକ ଦେଇ ନାନା ପ୍ରକାର ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି । ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଉପରେ ନିୟନ୍ତ୍ରଣ ରଖିବା ପାଇଁ ସରକାର ଏକ ଆଇନ ଆଣିବା ଜରୁରୀ ବୋଲି ସଚେତନ ନାଗରିକ ମହଲରେ ଦୃôଢ ମତ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଗରିବ, ଅଶିକ୍ଷିତ ଓ ଖଟିଖିଆ ମହିଳାମାନଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଗୁଡିକ ଭାରତୀୟ ରିଜର୍ଭ ବ୍ୟାଙ୍କର ନୀତିନିୟମ ଅନୁଯାୟୀ କାରବାର କରୁଛନ୍ତି କି ନାହିଁ ତାହାରି ଉପରେ ଏକ ଉଚ୍ଚସ୍ତରୀୟ ଯାଞ୍ଚ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।