ଆସିକାରେ ଶବ ସଂସ୍କାର ପାଇଁ ବିଦ୍ୟୁତ୍ ଚୁଲା କାର୍ଯ୍ୟକାରୀ ଦାବୀ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ପରିସୀମା ସାଙ୍ଗକୁ ଜନସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସେହି ଅନୁପାତରେ ଆସିକା ଅଞ୍ଚଳର ଋଷିକୁଲ୍ୟାନଦୀ ତଟରେ ଏକାଧିକ ଶ୍ମଶାନ ରହିଛି କିନ୍ତୁ ଶବ ସଂସ୍କାର ପାଇଁ ବିଦ୍ୟୁତ ଚୁଲା ଅଦ୍ୟାବଧି ପ୍ରଶାସନ ପକ୍ଷରୁ ସ୍ଥାପନ ହୋଇନଥିବା ବେଳେ ଶବଦାହ ପାଇଁ କୁଇଣ୍ଟାଲ କୁଇଣ୍ଟାଲ କାଠ ଦରକାର ପଡୁଥିବା ଦେଖିବାକୁ ମିଳୁଛି । ଦେଶ୍ୱ ସ୍ୱାଧୀନତାର ୭୭ ବର୍ଷ ପରେ ବି ଶବ ସଂସ୍କାର ପାଇଁ ସରକାର କିମ୍ବା ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ ଆସିକା ଅଞ୍ଚଳରେ ବିଦ୍ୟୁତ ଚୁଲାଟିଏ ସ୍ଥାପନ କରିବା ସମ୍ଭବପର ହୋଇପାରିନଥିବା ଯୋଗୁଁ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଉଛି । ଅନ୍ୟପଟେ ଶବ ସଂସ୍କାର ପାଇଁ କାଠର ଆବଶ୍ୟକତା ପଡୁଥିବାରୁ ଜଙ୍ଗଲ ସଂପଦ କ୍ଷୟ ହେବାରେ ଲାଗିଥିବା ଜଣାପଡିଛି । ଏଭଳି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ଶବ ସଂସ୍କାର ଲାଗି ଆଉ କାଠ ମିଳିବ କି ନାହିଁ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସାଧାରଣତଃ ଗୋଟିଏ ଶବ ସଂସ୍କାର ପାଇଁ ପାଖାପାଖି ପ୍ରାୟ ୨ କୁଇଣ୍ଟାଲରୁ ଅଧିକ କାଠର ଆବଶ୍ୟକତା ପଡୁଥିବା ଜଣାପଡିଛି । କାଠର ବ୍ୟବହାର କମାଇବା ଓ ପରିବେଶର ସୁରକ୍ଷା ପାଇଁ ଶବ ସଂସ୍କାର ସକାଶେ ରାଜ୍ୟର କେତେକ ଅଞ୍ଚଳରେ ବିକଳ୍ପ ପନ୍ଥା ସ୍ୱରୂପ ବିଦ୍ୟୁତ ଚୁଲା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲେ ମଧ୍ୟ ଆସିକାରେ ତାହା କାର୍ଯ୍ୟକ୍ଷମ କରିବାରେ ବିଳମ୍ବ ଘଟିଥିବା ଯୋଗୁଁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ସାଧାରଣ ଜନତା ନିଜର ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁ ଘଟିଲେ ଶବ ସଂସ୍କାର ପାଇଁ କେବଳ କାଠ ଉପରେ ଭରସା କରୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ଦିନକୁ ଦିନ କାଠର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ବିକଳ୍ପ ଭାବେ ବିଦ୍ୟୁତ ଚୁଲାକୁ ଗୁରୁତ୍ୱ ଦିଆଗଲେ ଏହି ସମସ୍ୟାର ସମାଧାନ କିଛି ମାତ୍ରାରେ ହୋଇପାରନ୍ତା ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ସେହିପରି ବିଦ୍ୟୁତ ଚୁଲା ମାଧ୍ୟମରେ ଖୁବ୍ କମ୍ ସମୟ ମଧ୍ୟରେ ଶବଦାହ ହୋଇପାରିବା ସହ ବର୍ଷା ସମୟରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଶବଦାହ ପାଇଁ ଆସିକା ଅଞ୍ଚଳରେ ଏକ ବିଦ୍ୟୁତ ଚୁଲା ସ୍ଥାପନ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଛି ।