ଆସିକାରେ ସମଗ୍ର ଶିକ୍ଷା ସପୋର୍ଟ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଆସିକା, (ୱାଇଏନ୍‍ଏସ୍‍):ସ୍ଥାୟୀ ନିଯୁକ୍ତି ସମେତ ଅନ୍ୟାନ୍ୟ କେତେକ ଦାବୀ ପୂରଣ ଲାଗି ରାଜ୍ୟସଂଘର ଆହ୍ୱାନକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଅଧୀନରେ ସମଗ୍ର ଶିକ୍ଷାରେ କାର୍ଯ୍ୟରତ ୩ ଜଣ କର୍ମଚାରୀ ମିଳିତ ଭାବେ ସମୂହ ଛୁଟିରେ ଚାଲିଯାଇଥିବା ବେଳେ ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷାଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଆସିକା ଶିକ୍ଷା ବିଭାଗ ଜରିଆରେ ପ୍ରେରଣ କରିଥିବା ଜଣାପଡିଛି । ରାଜ୍ୟସଂଘର ଆହ୍ୱାନକ୍ରମେ ସମଗ୍ର ଶିକ୍ଷା ସପୋର୍ଟ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ୍‍ ହୋଇଥିବା ଯୋଗୁଁ ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟକାରୀ ହେଉଥିବା ବହୁବିଧ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ ବୋଲି ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଦାବୀ ପୂରଣ ଲାଗି ସମଗ୍ର ଶିକ୍ଷା ସପୋର୍ଟ ଷ୍ଟାଫ୍‍ ମାନେ ଆସନ୍ତା ୧ ତାରିଖ ଠାରୁ ଭୁବନେଶ୍ୱର ଲୋୟର୍‍ ପିଏମ୍‍ଜି ଛକ ଠାରେ ଆରମ୍ଭ ହେବାକୁ ଥିବା ଗଣଧାରଣାରେ ସାମିଲ୍‍ ହେବା ପାଇଁ ମଧ୍ୟ ସଜବାଜ ହେଉଥିବା ଜଣାପଡିଛି । ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟରତ ଥିବା ଆକାଉଣ୍ଟାଣ୍ଟ କମ୍‍ ସପୋର୍ଟ ଷ୍ଟାଫ୍‍ ଏବଂ ଏମ୍‍ଆଇଏସ୍‍ କମ୍‍ ପ୍ଳାନିଂ କୋର୍ଡିନେଟରମାନେ ଦୀର୍ଘ ପ୍ରାୟ ୧୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ସ୍ୱଳ୍ପ ଦରମାରେ ନିଷ୍ଠାର ସହ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ କାମ କରିଆସୁଛନ୍ତି । ସରକାର ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ନକରି ଠିକା କର୍ମଚାରୀ ଭାବେ ସ୍ୱଳ୍ପ ଦରମା ଦେଇ କାମ କରାଉଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ସମଗ୍ର ଶିକ୍ଷା ସପୋର୍ଟ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ସେମାନଙ୍କର ଦୀର୍ଘ ଦିନର ନ୍ୟାୟୋଚିତ ଦାବୀ ପୂରଣ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସଂଘର ସଦସ୍ୟ ଚିନ୍ମୟ ପ୍ରଧାନ, ସନ୍ତୋଷ କୁମାର ପଟ୍ଟନାୟକ, ସୋମନାଥ ପ୍ରଧାନ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ଦୀର୍ଘ ୧୨ ବର୍ଷ ତଳେ ଓସେପା ଅଧୀନରେ ସମଗ୍ର ଶିକ୍ଷାର ବ୍ଳକସ୍ତରୀୟ ପ୍ଳାନିଂ କୋର୍ଡିନେଟର୍‍ ତଥା ଆକାଉଣ୍ଟାଣ୍ଟ ପୋଷ୍ଟିଂ କରିଥିଲେ । ପ୍ରଥମେ ଆକାଉଣ୍ଟାଣ୍ଟ ମାନଙ୍କୁ ମାସିକ ୫୨୦୦ ଟଙ୍କା ଏବଂ ଏମ୍‍ଆଇଏସ୍‍ ମାନଙ୍କୁ ମାସକୁ ୧୦ ହଜାର ଟଙ୍କା ମିଳୁଥିଲା । ବର୍ତ୍ତମାନ୍‍ ଆକାଉଣ୍ଟାଣ୍ଟ ମାନଙ୍କୁ ମାସକୁ ୧୧୩୦୪ ଟଙ୍କା ଏବଂ ଏମ୍‍ଆଇଏସ୍‍ ମାନଙ୍କୁ ମାସକୁ ୧୪୦୧୦ ଟଙ୍କା ଦରମା ମିଳୁଛି । ଦୀର୍ଘ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ଏହି ବର୍ଗର କର୍ମଚାରୀମାନଙ୍କୁ ଅଦ୍ୟାବଧି ସ୍ଥାୟୀ ନିଯୁକ୍ତି କରିନାହାନ୍ତି । ଯାହାରି ଫଳରେ ସାଂପ୍ରତିକ ପରିସ୍ଥିତିରେ ମହଙ୍ଗା ଯୁଗରେ ଏହି କର୍ମଚାରୀମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇ ପରିବାର ପ୍ରତିପୋଷଣ କରୁଥିବା ଦେଖିବାକୁ ମିଳୁଛି । ପୂର୍ବ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ କରିଥିବା ବେଳେ ଏହି ବର୍ଗର କର୍ମଚାରୀଙ୍କ କ୍ଷେତ୍ରରେ ତାହା ଲାଗୁ ହୋଇ ନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ