ଆସିକାର ୮ ହଜାରରୁ ଉର୍ଦ୍ଧ୍ୱ ପିଲାଙ୍କୁ ମିଳିନି ୟୁନିଫର୍ମ

ଆସିକା, (ଯୁଗାବ୍ଦ ନ୍ୟୁଜ):ସରକାରୀ ସ୍କୁଲ ପିଲାଙ୍କ ପାଇଁ ସରକାର ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମାଳ ମାଳ ମାଗଣା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ୨୦୨୪-୨୫ ଶିକ୍ଷାବର୍ଷ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇସାରିଥିଲା ବେଳେ ଶିକ୍ଷାବର୍ଷ ଆରମ୍ଭକୁ ୬ ମାସ ପୁରି ୭ ମାସ ଅତିକ୍ରାନ୍ତ ହେବାକୁ ଆଉମାତ୍ର ଗୋଟିଏ ଦିନ ବାକିଥିଲା ବେଳେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଅଞ୍ଚଳରେ ଥିବା ୧୩୩ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ୧୪ ହଜାର ୪୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୫ଟି ବିଦ୍ୟାଳୟର ୫୮୩୬ ଜଣ ଛାତ୍ରଛାତ୍ରୀ ସରକାର ଯୋଗାଇଦେଉଥିବା ମାଗଣା ପାଠ୍ୟପୁସ୍ତକ ପାଇଥିବା ବେଳେ ଅବଶିଷ୍ଟ ୫୮ଟି ସରକାରୀ ଶିକ୍ଷାନୁଷ୍ଠାନର ପ୍ରାୟ ୮ ହଜାର ୫୮୯ ଜଣ ଛାତ୍ରଛାତ୍ରୀ ଗତ ୨୮ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବର୍ତ୍ତମାନ ସୁଦ୍ଧା ବଞ୍ଚିତ ହୋଇଆସୁଥିବା ଜଣାପଡିଛି । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ, ଅନୁସୂଚିତ ଜାତି ଓ ଜନଜାତି, ଦାରିଦ୍ର‌୍ୟ ସୀମାରେଖା ତଳେ ଓ ଉପରେ ଥିବା ସମସ୍ତ ବାଳକ ଓ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ଗତ ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ ପ୍ରକ୍ରିୟା ଶେଷ କରିବାକୁ ନିୟମ ରହିଥିଲା ବେଳେ ଏହା ସଂପୁର୍ଣ୍ଣ ରୂପେ କାର୍ଯ୍ୟକାରୀରେ ବିଳମ୍ବ ଯୋଗୁଁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଅକ୍ଟୋବର ମାସ ଶେଷ ହେବାକୁ ବସିଥିବା ବେଳେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩୩ ବିଦ୍ୟାଳୟ ମଧ୍ୟରୁ ୫୮ଟି ବିଦ୍ୟାଳୟର ୮୫୮୯ ଜଣ ଛାତ୍ରଛାତ୍ରୀ ସରକାରଙ୍କ ମାଗଣା ପୋଷାକ ପାଇବାରୁ ବଞ୍ଚିତ ସଂକ୍ରାନ୍ତରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥୀ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଅତିଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍‍ ପେଣ୍ଟ, ଟୋପି, ପରିଚୟ ପତ୍ର ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ । ୨୦୨୪-୨୫ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ହୋଇସାରିଲାଣି । ଏ ଯୀଏଁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ୫୮ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଜୋତା, ମୋଜା ଓ ପୋଷାକ ମିଳିପାରି ନାହିଁ । ଛାତ୍ରଛାତ୍ରୀମାନେ ଗତ ବର୍ଷର ପୁରୁଣା ୟୁନିଫର୍ମ ପିନ୍ଧି ବିଦ୍ୟାଳୟକୁ ଆସୁଥିବା ଦେଖିବାକୁ ମିଳୁଛି । ବିଦ୍ୟାର୍ଥୀମାନଙ୍କୁ କେବେ ଜୋତା, ମୋଜା ଓ ପୋଷାକ ମିଳିବ ତାହାରି ଉତ୍ତର କାହା ପାଖରେ ନାହିଁ । ଛାତ୍ରଛାତ୍ରୀମାନଙ୍କୁ ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ଏସବୁ ବଣ୍ଟନ କରିବା ଲାଗି ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । କେନ୍ଦ୍ର ସରକାରଙ୍କ ସମଗ୍ର ଶିକ୍ଷା ଓ ରାଜ୍ୟ ସରକାରଙ୍କ ଗଂଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରୁ ଏହି ଅର୍ଥ ଭରଣା କରାଯାଇଥାଏ । ଅତୀତରେ ଯେପରି ବିଦ୍ୟାଳୟ ପରିଚାଳନା କମିଟି ପୋଷାକ କିଣି ସଠିକ୍‍ ସମୟରେ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରୁଥିଲେ ସେହି ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲେ ସାଂପ୍ରତିକ ପରିସ୍ଥିତିରେ ଏହି ସମସ୍ୟା ସୃଷ୍ଟି ହୋଇନଥାନ୍ତା ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଚଳିତବର୍ଷ ଶିକ୍ଷାବିଭାଗ ପକ୍ଷରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଅନ୍ୟ କେତେକ ଜିଏସ୍‍ଟି ବାନ୍ଧୁଥିବା ବ୍ୟବସାୟିକ ସଂସ୍ଥାକୁ ଚୁକ୍ତିଭୁକ୍ତ କରି ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଣ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀମାନେ ଯେପରି ସରକାରଙ୍କ ମାଗଣା ପୋଷାକ, ଜୋତା, ମୋଜା ପାଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ