ଆସିକା ସହରର ଛବିକୁ ମଳିନ କରୁଛି ବ୍ୟବସାୟିକ ପୋଷ୍ଟର
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦଭୁକ୍ତ ଅଞ୍ଚଳକୁ ସର୍ବାଙ୍ଗ ସୁନ୍ଦର ସହ ସୌନ୍ଦର୍ଯ୍ୟକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ କିଛି ଘରୋଇ ବ୍ୟବସାୟିକ ଅନୁଷ୍ଠାନ ପକ୍ଷରୁ ସହରର ସୌନ୍ଦର୍ଯ୍ୟକୁ ନଷ୍ଟ କରାଯାଉଥିବା ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଆସିକା ଏନ୍ଏସି ପରିସରଭୁକ୍ତ ବିଭିନ୍ନ ସାହିବସ୍ତିର ରାସ୍ତାକଡରେ ଥିବା କେତେକ କାନ୍ଥରେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ଲଗାଯାଉଥିବା ପୋଷ୍ଟର ସହରର ଛବିକୁ ଏକ ପ୍ରକାର ମଳିନ କରିଦେଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆସିକା ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବାକୁ ବିଭିନ୍ନ ଛକ ଓ ଗଳିର ରାସ୍ତା ପାଶ୍ୱର୍ରେ ଥିବା କାନ୍ଥରେ ଏନ୍ଏସି ପକ୍ଷରୁ ପରମ୍ପରା, ସଂସ୍କୃତି ଓ ସଚେତନତାଧର୍ମୀ ଚିତ୍ର ଅଙ୍କନ କରାଯାଉଛି । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି । କାନ୍ଥବାଡରେ ଅଙ୍କନ କରାଯାଉଥିବା ଏହି ଚିତ୍ରବିଚିତ୍ର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ବିଶେଷ ସହାୟକ ହେଉଥିବା ବେଳେ ସହରର ଅନେକ କାନ୍ଥରେ ବହୁ ବ୍ୟବସାୟିକ ସଂସ୍ଥା ପୋଷ୍ଟର ଲଗାଇବା ବେଳେ ବିଭିନ୍ନ ପ୍ରକାର ଅଠା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଯାହା କାନ୍ଥକୁ ଅସୁନ୍ଦର କରିଦେଉଛି । ବଡ କଥା ହେଲା ଗୋଟିଏ ଅନୁଷ୍ଠାନ ପକ୍ଷରୁ ଆଜି ଲଗାଯାଇଥିବା ପୋଷ୍ଟର ଉପରେ ଆସନ୍ତାକାଲି ଆଉ ଗୋଟିଏ ଅନୁଷ୍ଠାନ ପକ୍ଷରୁ ସେହି କାନ୍ଥ ଉପରେ ପୋଷ୍ଟର ଲଗାଉଥିବା ଓ ସେହି କାଗଜ ନିର୍ମିତ ପୋଷ୍ଟର ବର୍ଷାପାଣି ପଡି ପରବର୍ତ୍ତୀ ସମୟରେ କାନ୍ଥଟିକୁ ନଷ୍ଟ କରିଦେଉଥିବା ଅଭିଯୋଗ ହେଉଛି । ଘରୋଇ ଅନୁଷ୍ଠାନର ଏଭଳି କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଥିବା ଦେଖିବାକୁ ମିଳୁଛି । ଆସିକା ସହରର ବିଭିନ୍ନ କାନ୍ଥବାଡ ଗୁଡିକରେ ବହୁ ବ୍ୟବସାୟିକ ସଂସ୍ଥାର ମାଳମାଳ ପୋଷ୍ଟର ଲଗାଯାଉଥିବା ବେଳେ ଏନ୍ଏସି ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି ।