ଇଂ ସୁରେନ୍ଦ୍ର ନାଥ ଦାସଙ୍କ ୪ ପୁସ୍ତକ ଲୋକାର୍ପିତ
ବାଲେଶ୍ୱର, ((ସରୋଜ ପଣ୍ଡା): ): ବିଦ୍ୟୁତ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଇଂ ସୁରେନ୍ଦ୍ର ନାଥ ଦାସଙ୍କ ୪ ଖଣ୍ଡ ପୁସ୍ତକ ‘ଛନ୍ଦାରାଣୀ ଓ ବିଦ୍ୟା’ ଦୁଇ ଉପନ୍ୟାସ ଏବଂ ‘ସେ ଥିଲେ ମାଆ ମୋର ଓ ଚେତନାର ସ୍ୱର’ ଦୁଇ କବିତା ସଂକଳନ ରବିବାର ଲୋକାର୍ପିତ ହୋଇଯାଇଛି । ହୋଟେଲ କଳିଙ୍ଗ ସଭାଗୃହରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଓଡ଼ିଆ ଭାଷା ସହିତ୍ୟର ଅନ୍ୟତମ ଗବେଷକ ଡ. ରମାକାନ୍ତ ବେହେରା ସଭାପତିତ୍ୱ କରିଥିଲେ । ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଅତିଥି ଭାବେ ଯୋଗଦେଇ ପୁସ୍ତକ ଚାରିଖଣ୍ଡକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ ସହ ଲେଖକୀୟ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ । ବିଶିଷ୍ଟ ଶିକ୍ଷାବିତ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ଦାସଙ୍କ ସାହିତ୍ୟ କୃତିକୁ ଭୂୟସୀ ପ୍ରଶଂସା କରିଥିଲେ । ଚାକିରିରୁ ଅବସର ପରେ ସାରସ୍ୱତ ସାଧନାରେ ନିଜକୁ ନିମଗ୍ନ ରଖି ସ୍ୱୟଂ ସକ୍ରିୟ ରହିବା ସହ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧିରେ ସାମିଲ ହେବା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ସେ କହିଥିଲେ । ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡ. ଶିରୀଶ ଚନ୍ଦ୍ର ଜେନା, ଡାକ୍ତର ପ୍ରଭାତ ରଞ୍ଜନ ଚୌଧୁରୀ, ଅରୁଣା ରାୟ, ଇଂ. ହୃଷୀକେଶ ସାହୁ ଏବଂ ପୁସ୍ତକର ପ୍ରକାଶକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି କାଳୀପଦ ପଣ୍ଡା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୪ ଗୋଟି ପୁସ୍ତକକୁ ସମୀକ୍ଷା କରିବା ସହିତ ଶ୍ରୀ ଦାସଙ୍କ ଲେଖନୀୟ ପରଦର୍ଶିତାକୁ ପ୍ରଶଂସା କରିଥିଲେ । ଶିକ୍ଷଣୀୟ ବିଷୟବସ୍ତୁ ସାଙ୍ଗକୁ ଉଚ୍ଚକୋଟିର ଲିଖନ ଶୈଳୀ ଯୋଗୁଁ ଏହି ପୁସ୍ତକ ପାଠକୀୟ ଆଦୃତ ଲାଭ କରିବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । ଲେଖକ ଶ୍ରୀ ଦାସ ଏଥିରେ ଉପସ୍ଥିତ ରହି ନିଜର ଲେଖକୀୟ ଅନୁଭୁତି ଓ ଅଭିଜ୍ଞତା ସମ୍ପର୍କରେ କଥା ରଖିଥିଲେ । ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଗୋପାଳ ଚନ୍ଦ୍ର ଜେନା ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ସତ୍ୟଭାମା ମୁଦୁଲି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


